୯ମାସ ହେବ ଶ୍ରମିକଙ୍କ ଦରମା ବନ୍ଦ: ଆଜିଠାରୁ କାରଖାନା ସମ୍ମୁଖରେ ଶନ୍ତିପୂର୍ଣ୍ଣ ଧାରଣା

କଳିଙ୍ଗନଗର,୧୬ା୧୦(ଡି.ଏନ.ଏ.)- କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍‌କୋ କାରଖାନାରେ ଶ୍ରମିକମାନେ ୯ ମାସ ହେବ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ଅଗଷ୍ଟ ୨୦ ତାରିଖରେ କଳିଙ୍ଗନଗର ମଜଦୁର ୟୁନିୟନ ପକ୍ଷରୁ ଚିଠି (ନଂ. ୫୦/୧୯)ରେ କାରଖାନା କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦେଇଥିଲେ। ଇତି ମଧ୍ୟରେ ଦାବିପତ୍ର ପ୍ରଦାନକୁ ଦେଢମାସ ବିତିଯାଇଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଫଳରେ ୧୩ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଅପରପକ୍ଷେ ୨ମାସ ହେବ ବିନା ନୋଟିସରେ କାରଖାନାକୁ ବନ୍ଦ କରାଯାଇଛି। ଏ ନେଇ ମଙ୍ଗଳବାର କାରଖାନା ସମ୍ମୁଖରେ ଶ୍ରମିକମାନେ ଧାରଣ ଦେବାକୁ ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ କାରଖାନା କର୍ତ୍ତୃପକ୍ଷ ୧୪୪ ଧାରା ଲାଗୁ ପାଇଁ ଜିଲା ପ୍ରଶାସନ ନିକଟରେ ଆବେଦନ କରି ବିଫଳ ହୋଇଥିବା ଜଣାପଡିଛି। ଅପରପଧେ ଆନ୍ଦୋଳନକୁ ପ୍ରତ୍ୟାହାର ନେଇ ଶ୍ରମିକମାନଙ୍କ ଏକ ପ୍ରତିନିଧି ଦଳ ସହ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର ଏବଂ ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ଆଲୋଚନା କରିଥିଲେ। ହେଲେ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ପାଇବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦେବା ପାଇଁ ପ୍ରତିଶ୍ରତି ଦେଇଥିବା ଜଣାପଡିଛି । କୁମାର ଦଳେଇ, ପ୍ରହଲ୍ଲାଦ ପାଳ, ପ୍ରମୋଦ ସାହୁ, ଶ୍ରୀକାନ୍ତ ବେହେରା, କିଶୋର ସାମଲ, ଆଶିଷ ଓଝା, ରାଜେଶ ପାଲ, ସୌମ୍ୟରଞ୍ଜନ ନାୟକଙ୍କ ସମେତ ଅନ୍ୟ ଶ୍ରମିକମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।