୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ

ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ ରାଜ୍ୟର ୫ ଏପରି ମୋଟ ୮ ଟିମ ଭାଗ ନେବେ। ଭଞ୍ଜନଗର ଫୁଟବଲ ଆସୋସିଏଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଅମରନାଥ ରଥ, ସୁଧୀର ରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ଈଶ୍ୱର ଆଚାରୀ, ଉପ ସଭାପତି ଈଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରେମଚାନ୍ଦ ସିଂ, ସମ୍ପାଦକ ଏମ୍‌. ଡ଼ି ନୌସାଦ, କାର୍ଯ୍ୟକାରୀ ସମ୍ପାଦକ ଚିଦାନନ୍ଦ ସ୍ବାଇଁ, ସହ ସମ୍ପାଦକ ସଦାଶିବ ପ୍ରଧାନ, ବିଷ୍ଣୁ ରାଓ, କୋଷାଧ୍ୟକ୍ଷ ଶରତ ମହାନ୍ତି, ଅନିଲ ମୋହିନୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଚାମ୍ପିୟନ ଟିମ୍‌କୁ ପୁରସ୍କାର ବାବଦକୁ ୩୩, ୩୩୩ ଟଙ୍କା ଓ ରନର୍ସଅପ୍‌ ଟିମ୍‌କୁ ୨୨,୨୨୨ ଟଙ୍କା ପ୍ରଦାନ କରାଯିବ। ଏଥିସହ ଦୈନନ୍ଦିନ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ। ଟୁର୍ନାମେଣ୍ଟରେ ୮ ଟିମ ଯଥା ନେପାଳର ନେପାଳଗଞ୍ଜ, ଭୁବନେଶ୍ୱରର ଜଗା ୟୁନାଇଟେଡ଼, ଭଞ୍ଜନଗରର ଗୁରୁବା ଇଲଭେନ, ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ସମ୍ବଲପୁର ଏଫସି, କୋଲକତା ଭାଇପର୍ସ, ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ଓ ତେଲଙ୍ଗାନାର ଆର୍ମି ଏକାଡ଼େମୀ ଭାଗ ନେବ। ଦୈନନ୍ଦିନ ଅପରାହ୍ନ ସାଢ଼େ ୨ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ। ଗ୍ରୁପ୍‌-ଏର ପ୍ରଥମ ମ୍ୟାଚ୍‌ ବରଗଡ଼ ସହ ଭଞ୍ଜନଗର ଗୁରୁବା ଇଲେଭେନ ମଧ୍ୟରେ ହେବ। ୧୦ରେ ନେପାଳ ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍‌ ହେବ। ୧୧ ତାରିଖରେ ଗୃପ୍‌-ଏର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ହେବ। ୧୨ରେ ଗ୍ରୁପ୍‌-ବିର ପ୍ରଥମ ମ୍ୟାଚ୍‌ ସମ୍ବଲପୁର ଓ କୋଲକତା ମଧ୍ୟରେ ହେବ। ୧୩ରେ ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ସହ ତେଲଙ୍ଗାନା ଟିମ୍‌ ମଧ୍ୟରେ ମ୍ୟାଚ ହେବ। ୧୪ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଓ ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ।

Share