Categories: ଜାତୀୟ

୯ରେ କର୍‌ତାରପୁର କରିଡର ଉଦ୍‌ଘାଟନ

ଲାହୋର,୨୧ା୧୦(ପି.ଟି.): ବହୁପ୍ରତୀକ୍ଷିତ କର୍‌ତାରପୁର କରିଡର ଉଦ୍‌ଘାଟନ ନଭେମ୍ବର ୯ରେ ହେବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରବିବାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ କରିଡର କର୍‌ତାରପୁରର ଦର୍‌ବାର ସାହିବ ସହ ପଞ୍ଜାବ ଗୁର୍‌ଦାସପୁରର ଡେରା ବାବା ନାନକ ପୀଠକୁ ସଂଯୋଗ କରିବ ଏବଂ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିଜାମୁକ୍ତ ଭ୍ରମଣ ସୁଯୋଗ ମିଳିବ। ଗୁରୁ ନାନକ ଦେବଙ୍କ ଦ୍ୱାରା ୧୫୨୨ରେ କର୍‌ତାରପୁର ସାହିବ ସ୍ଥାପନ କରାଯାଇଥିଲା। ଭାରତୀୟ ସୀମାଠାରୁ ଦରବାର ସହିବ ଗୁରୁଦ୍ୱାରା ପର୍ଯ୍ୟନ୍ତ କରିଡର ପାକିସ୍ତାନ ନିର୍ମାଣ କରୁଛି। ସେହିପରି ସୀମା ଏପଟୁ ଡେରା ବାବା ନାନକଙ୍କ ପୀଠ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଭାରତ କରିବ। କରିଡର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିଲାବେଳେ ୯ରେ ଉଦ୍‌ଘାଟନ ହେବ ଏବଂ ସାରା ବିଶ୍ୱର ଶିଖ୍‌ମାନଙ୍କୁ ବିଶ୍ୱର ସର୍ବବୃହତ ଗୁରୁଦ୍ୱାରା ଦର୍ଶନର ସୁଯୋଗ ମିଳିବ ବୋଲି ଇମ୍ରାନ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି। ନଭେମ୍ବର ୧୨ରେ ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ହେବ।
କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ ନାହିଁ। ସେ ସେଠାକୁ ଜଣେ ସାଧାରଣ ତୀର୍ଥଯାତ୍ରୀ ଭାବେ ଯିବେ ବୋଲି ଜଣାପଡିଛି। ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ମନମୋହନ ପାକିସ୍ତାନର ନିମନ୍ତ୍ରଣକୁ ଗ୍ରହଣ କରିଥିବା ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶି ଶନିବାର କହିଥିଲେ। ସ୍ବତନ୍ତ୍ର ଅତିଥି ନୁହନ୍ତି, ଜଣେ ସାଧାରଣ ବ୍ୟକ୍ତି ଭାବେ ମନମୋହନ ନଭେମ୍ବର ୯ ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ ବୋଲି କୁରେଶି ମୁଲ୍‌ତାନଠାରେ କହିଥିଲେ। ତେବେ ଉଦ୍‌ଘାଟନ ଉତ୍ସବରେ ମନମୋହନ ଯୋଗଦେଉ ନ ଥିବା ରବିବାର ତାଙ୍କ ଘନିଷ୍ଠ ସୂତ୍ରରୁ ସୂଚନା ଦିଆଯାଇଛି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଯିବାକୁ ଥିବା ଶିଖ୍‌ ପ୍ରତିନିଧି ଦଳରେ ସାମିଲ ହେବେ। କର୍‌ତାରପୁର ଯିବା ଲାଗି ରବିବାରଠାରୁ ତୀର୍ଥଯାତ୍ରୀଙ୍କ ଅନ୍‌ଲାଇନ ରେଜିଷ୍ଟ୍ରେଶନ ଆରମ୍ଭ ହେବାକୁ ଥିଲା। ତେବେ କେତେକ ପ୍ରସଙ୍ଗରେ ଦୁଇ ଦେଶ ସହମତି ହୋଇ ନ ଥିବାରୁ ପଞ୍ଜୀକରଣ ଆରମ୍ଭ ହୋଇପାରି ନାହିଁ। ମୁଖ୍ୟତଃ ପ୍ରତି ତୀର୍ଥଯାତ୍ରୀଙ୍କ ଉପରେ ଇସ୍‌ଲାମାବାଦ ୨୦ ଡଲାର ସେବା ଟିକସ ଧାର୍ଯ୍ୟ କରିଥିବାରୁ ଏହାକୁ ନୂଆଦିଲ୍ଲୀ ବିରୋଧ କରୁଛି।

Share