୯ରେ ଜାତିସଂଘରେ ଆଲୋଚନା

ଜାତିସଂଘ,୮ା୪: ସାରା ବିଶ୍ୱ ଏବେ ମାରାତ୍ମକ କରୋନା ମହାମାରୀ କବଳିତ ହୋଇଥିବାବେଳେ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଏକ ବୈଠକ ବସୁଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୩ ହଜାରରେ ପହଞ୍ଚତ୍ଥିବାବେଳେ ୭୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରଥମ ଥର ପାଇଁ କରୋନା ଉପରେ ଆଲୋଚନା କରିବାକୁ ଯାଉଛି। ଏପ୍ରିଲ ମାସ ପାଇଁ ପରିଷଦର ଅଧ୍ୟକ୍ଷ ଥିବା ଡୋକିନିକାନ୍‌ ରିପବ୍ଲିକ୍‌ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ର ପ୍ରଭାବ ଉପରେ ଭିଡିଓ-ଟେଲିକନ୍‌ଫରେନ୍ସିଂ ଗୁରୁବାର ଅନୁଷ୍ଠିତ ହେବ। ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଭାଗନେଇ ସୁରକ୍ଷା ପରିଷଦକୁ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ହେବା ୪ ମାସ ହୋଇଗଲାଣି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଆଲୋଚନା କରିବାକୁ ଉଦ୍ୟମ ହୋଇଥିଲେ ହେଁ ଦୁଇ ଭିଟୋ କ୍ଷମତାସମ୍ପନ୍ନ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ମତଭେଦ କାରଣରୁ ତାହା ହୋଇପାରି ନାହିଁ। ୯ ତାରିଖ ବୈଠକରେ କରୋନା ମୁକାବିଲା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ମିଳିତ ଘୋଷଣାନାମା କିମ୍ବା ସଂକଳ୍ପ ଆଣିବା ନିମନ୍ତେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଲାଗି ଗତ ସପ୍ତାହରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।

Share