୯୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପଢ଼ା ଲାଗୁଛି ଭଲ: ଅନ୍‌ଲାଇନ୍‌ ପାଠପଢ଼ାରେ ପୂରଣ ହେଉନି ଆବଶ୍ୟକତା

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ତେବେ ଏଭଳି ବ୍ୟବସ୍ଥାରେ ପାଠପଢ଼ାର ବହୁ ଆବଶ୍ୟକତା ପୂରଣ ହେଉ ନାହିଁ। ୯୦.୬ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପଢ଼ା ଭଲ ଲାଗୁଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ପାଠପଢ଼ା ସମୟରେ ଚାପମୁକ୍ତ ରଖିବା ପାଇଁ ଜାତୀୟସ୍ତରରେ ବିଶେଷଜ୍ଞଙ୍କ ଦ୍ୱାରା ଏହି ସର୍ଭେ କରାଯାଇଛି। ଏଥିରେ ସିବିଏସିଇର ୬ ହଜାର ଛାତ୍ରୀଛାତ୍ର ଏବଂ ୩୫୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସାମିଲ କରାଯାଇଥିଲା। ଲକ୍‌ ଡାଉନ୍‌ ଯୋଗୁ ବର୍ତ୍ତମାନ ଦେଶର ୭୮.୩ ପ୍ରତିଶତ ଛାତ୍ରୀଛାତ୍ର ହ୍ବାଟସଆପ୍‌ ଦ୍ୱାରା ଘରେ ରହି ପାଠ ପଢୁଛନ୍ତି। ସେହିପରି ୮.୭ ଗୁଗଲ କ୍ଲାସ୍‌ ରୁମ୍‌ ଏବଂ ଅବଶିଷ୍ଟ ଛାତ୍ରୀଛାତ୍ର ଅନ୍ୟ ଅନ୍‌ଲାଇନ୍‌ ମାଧ୍ୟମର ସାହାରା ନେଉଛନ୍ତି। ସର୍ଭେ ସମୟରେ ୩୭.୫ ପ୍ରତିଶତ ଛାତ୍ରୀଛାତ୍ର ସ୍କୁଲ ପାଠପଢ଼ା ଘରେ ରହି କରିବାକୁ ପସନ୍ଦ କରିଥିବା କହିଛନ୍ତି। ସର୍ଭେ କମିଟି ଅନୁସାରେ ଘରେ ରହି ପାଠପଢ଼ିବା ସାମ୍ପ୍ରତିକ ସ୍ଥିତିରେ ସହଜ। ମାତ୍ର ଏହା ଛାତ୍ରୀଛାତ୍ରଙ୍କ ବହୁ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ନୁହେଁ। କେବଳ ଶିକ୍ଷୟିତ୍ରୀ ଶିକ୍ଷକ ହିଁ ଏହି ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହୋଇପାରିବେ। ସ୍କୁଲରେ ମିଳୁଥିବା ନୈତିକ ଶିକ୍ଷା ଏବଂ ଖେଳକୁଦଠାରୁ ଛାତ୍ରୀଛାତ୍ର ଲକ୍‌ ଡାଉନ୍‌ରେ ଦୂରେଇ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share