୯୦ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ପିଲାମାନେ ବାହାରେ ବସି ପାଠ ପଢ଼ୁଛନ୍ତି। ୧୧୫ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ। ୩୧୫ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍‌ ପିଲା ପାଠ ପଢ଼ୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବୁଧବାର ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ, କେତେ ସଂଖ୍ୟକ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ, କେତେ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ପିଲା ନାହାନ୍ତି, କେତେ ସଂଖ୍ୟକ ହାଇସ୍କୁଲରେ କମ୍ପୁଟର ଥିଲେ ମଧ୍ୟ ବିଦ୍ୟୁତ୍‌ ନାହିଁ ଓ କେତେ ସଂଖ୍ୟକ ବିଦ୍ୟାଳୟରେ ପାଠାଗାର ନାହିଁ ବୋଲି ବିଧାୟକ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ପ୍ରାୟ ୧୦୪୮ ହାଇସ୍କୁଲରେ କମ୍ପ୍ୟୁଟର ନାହିଁ। ୨୮ଟି କମ୍ପ୍ୟୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ଥିବାବେଳେ ବିଦ୍ୟୁତ୍‌ କାର୍ଯ୍ୟକାରୀ ହେଉନାହିଁ। ୨୬୧୦ ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେହିଭଳି ବିଧାୟକ ଅମର ଶତପଥୀ ରାଜ୍ୟରେ କେତେ ସଂଖ୍ୟକ ଉଚ୍ଚ ବିଦ୍ୟାଳୟ ଅଛି, କେତୋଟିରେ ପ୍ରଧାନଶିକ୍ଷକ ନାହାନ୍ତି ଏବଂ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ମୋଟ ୮୦୭୬ ଉଚ୍ଚ ବିଦ୍ୟାଳୟ ଥିବାବେଳେ ୨୫୮୫ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। ନ୍ୟାୟାଳୟରେ ମାମଲା ପଡ଼ିଥିବାରୁ ପଦୋନ୍ନତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

Share