୪ ବର୍ଷ ତଳର କଥା। ୯୪ ବର୍ଷୀୟା ହରଭଜନ କୌର, ଝିଅ ରବିନା ସୁରୀ କଥା ହେଉଥିବାବେଳେ ମନରେ ଥିବା ଏକ କ୍ଷୋଭ ସମ୍ପର୍କରେ କହିଥିଲେ। ସେ କହିଥିଲେ, ମୋ ଜୀବନରେ କିଛି ଅଭାବ ନାହିଁ। ହେଲେ ଏକ ଦୁଃଖ ରହିଛି ଯେ, ମୁଁ କେବେ ଏକ ଟଙ୍କା ବି ରୋଜଗାର କରିନି।’ ଏହି କଥାକୁ ଗୁରୁତ୍ୱର ସହ ନେଇଥିଲେ ଝିଅ ରବିନା। ସେ ଜାଣିଥିଲେ ତାଙ୍କ ମା’ ଚମତ୍କାର ରୋଷେଇ କରନ୍ତି। ସମସ୍ତଙ୍କ ମନଜାଣି ସେ ସୁଆଦିଆ ଖାଦ୍ୟ ରାନ୍ଧିଛନ୍ତି। ହେଲେ କେବେ ଏଥିପାଇଁ ତାଙ୍କୁ ପ୍ରଂଶସା ଟିକେ ବି ମିଳିନି। ତେବେ ତାଙ୍କ ହାତ ତିଆରି ବେସନ ବର୍ଫିର କଥା ଅଲଗା। ସେ ବିଭିନ୍ନ ପ୍ରକାର ଆଚାର ଓ ମିଠା ତିଆରି କରିବାରେ ବି ପାରଙ୍ଗମ। ତେଣୁ ସେ ଚିନ୍ତା କଲେ ମା’ଙ୍କ ହାତ ତିଆରି ସ୍ବାଦିଷ୍ଟ ବ୍ୟଞ୍ଜନ ଲୋକଙ୍କ ପାଖରେ ପହଞ୍ଚାଇବେ। ଆଉ ସ୍ଥାନୀୟ ବଜାରରେ ଏକ ଦୋକାନ କରି ମା’ଙ୍କ ହାତ ତିଆରି ବେସନ ବର୍ଫି ବିକ୍ରି କଲେ। ପ୍ରଥମ ଦିନ ମା’ ହରଭଜନ ଗ୍ରାହକଙ୍କ ସହ କଥା ହୋଇ ବେସନ ବର୍ଫି ବିକ୍ରି କରି ରୋଜଗାର କଲେ ୨୦୦୦ଟଙ୍କା। ତାହା ଥିଲା ତାଙ୍କର ପ୍ରଥମ ରୋଜଗାର। ଏହାପରେ ସେ ବର୍ଫି, ଚଟଣୀ, ବିଭିନ୍ନ ପ୍ରକାର ଆଚାର ତିଆରି କରି ପ୍ରତି ୧୦ ଦିନରେ ଥରେ ବଜାରକୁ ନେଇ ବିକ୍ରି କଲେ। ଏଥିରେ ତାଙ୍କୁ ପରମ ଆତ୍ମସନ୍ତୋଷ ମିଳିଲା। ଏହାପରେ ତାଙ୍କ ପାଖକୁ ଅର୍ଡର ଆସିବାକୁ ଲାଗିଲା। ରବିନା ମା’ଙ୍କ ହାତ ତିଆରି ଖାଦ୍ୟକୁ ଏକ ବ୍ରାଣ୍ଡ ବନେଇଲେ। ସୁନ୍ଦର ପ୍ୟାକେଜିଂ ସହ ଟ୍ୟାଗଲାଇନ୍ ଦେଲେ-ବଚ୍ପନ୍ ୟାଦ ଆୟେଗି। ଏବେ ହରଭଜନ ପ୍ରତିଦିନ ୫-୧୦ କି.ଗ୍ରା. ବେସନ ବର୍ଫି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ବର୍ଫିର ଚହିଦା ବଢିବାକୁ ଲାଗିଛି। ଆଉ ଏ ବୟସରେ ବି ସେ ଅର୍ଡର ଅନୁସାରେ ବର୍ଫି, ଚଟଣୀ ଆଦି ତିଆରି କରୁଛନ୍ତି।