୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ ଥାନ୍ତି। ଫଳରେ ନାନା ରୋଗ ଅକାଳରେ ମାଡ଼ିବସେ। ବର୍ତ୍ତମାନ ସମୟରେ ଏକ ସାଧାରଣ ବ୍ୟାୟାମ କରିବା ଯୁବକମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ପୁଣି ୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ କରିବା କଥା କିଏ ବା ଚିନ୍ତା କରିପାରିବେ। ହେଲେ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶାଲ୍‌ ପିଭି ଆୟାର ୯୦ ବର୍ଷ ବୟସରେ ଜିମ୍‌ରେ ପୁଲ୍‌-ଅପ୍‌ସ୍‌ କରୁଥିବା ଦେଖିବାକୁ ମିଳିଛି। ଇଣ୍ଡିଆନ୍‌ ଏୟାରଫୋର୍ସ ପକ୍ଷରୁ ଶେୟାର୍‌ କରାଯାଇଥିବା ଏହି ଭିଡିଓ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛି। ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହା ଆୟାର ପ୍ରମାଣିତ କରିଛନ୍ତି। ଏହାସହ ସେ ନିଜ ୫୦ ବର୍ଷର ଚାକିରି ଜୀବନ ମଧ୍ୟରେ ମୋଟ ୧ଲକ୍ଷ ୨୦ହଜାର କିମି ଦୌଡ଼ି ‘ରନିଂ ଏୟାର୍‌ ମାର୍ଶାଲ୍‌’ ଅଫ୍‌ ଇଣ୍ଡିଆନ୍‌ ଏୟାର୍‌ଫୋର୍ସ ଭାବେ ପରିଚିତ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ଉଲ୍ଲେଖ କରାଯାଇଛି। ତାଙ୍କର ଏ ବୟସରେ ମଧ୍ୟ ସ୍ବାସ୍ଥ୍ୟକୁ ନେଇ ରହିଥିବା ସଚେତନତା ଓ ଉତ୍ସାହ ଯୁବବର୍ଗଙ୍କ ପାଇଁ ପ୍ରେରଣା ନିଶ୍ଚୟ।

Share