୯୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା: ୨୨ ଦିନରେ ୯୦ ହଜାରରୁ ଅଧିକ ଲୋକଙ୍କ ଗଲାଣି ଜୀବନ !

ଓ୍ବାଶିଂଟନ/ରୋମ୍‌/ବେଜିଂ,୧୧।୪: କରୋନା ସଂକ୍ରମଣ ଯୋଗୁ ଗତ ୯୨ ଦିନରେ ସାରା ପୃଥିବୀରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଘଟଣା ୨୦୧୯ ନଭେମ୍ବର ୧୭ରେ ଚିହ୍ନଟ ହୋଇଥିଲା। ତେବେ ପ୍ରଥମ ମୃତ୍ୟୁ ଘଟଣା ଜାନୟାୟୀ ୯ରେ ଘଟିଥିଲା। ତାଙ୍କ ବୟସ ୬୧ ବର୍ଷ ଥିଲା। ଏହାପରେ ୭୦ ଦିନ ପରେ ମାର୍ଚ୍ଚ ୧୯ ବେଳକୁ କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତେବେ ପରବର୍ତ୍ତୀ ୨୨ ଦିନ ଅଧିକ ସଙ୍କଟମୟ ରହିଛି। ଏହି ସମୟ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୯୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଛି। ମୃତକଙ୍କ ମଧ୍ୟରେ ୭୫ ପ୍ରତିଶତ ଇଟାଲି, ଫ୍ରାନ୍ସ୍‌, ଆମେରିକା,ସ୍ପେନ୍‌ ଏବଂ ବ୍ରିଟେନ୍‌ର ବାସିନ୍ଦା ରହିଛନ୍ତି। ଇଟାଲି ଏବଂ ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା କମୁଥିବାବେଳେ ଆମେରିକା, ଫ୍ରାନ୍ସ୍‌ ଓ ବ୍ରିଟେନ୍‌ରେ ପ୍ରତିଦିନ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଭାରତରେ ମଧ୍ୟ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Share