୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ ୨୯ ସୁଦ୍ଧା ପରିବେଶ କ୍ଷତିପୂରଣ ରାଶି ବାବଦରେ ୯୩୩ କୋଟି ଟଙ୍କା ଓଡ଼ିଶା ସରକାରଙ୍କ ନିକଟରେ ଜମାଦେବାକୁ ସାରଦା ମାଇନ୍ସକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ. ବୋବ୍‌ଡେ, ଜଷ୍ଟିସ ବି.ଆର. ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନବୀନ ଜିନ୍ଦଲ ପରିଚାଳିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ)କୁ ଏସଏମ୍‌ପିଏଲର ଠାକୁରାଣୀ ଖଣିରେ ଥିବା ଉଚ୍ଚମାନର ଲୁହାପଥର ନେବାକୁ ଅନୁମତି ଦେଇଛନ୍ତି। ତେବେ ଏସଏମ୍‌ପିଏଲ ପରିବେଶ କ୍ଷତିପୂରଣ ରାଶି ୯୩୩ କୋଟି ଟଙ୍କା ଭରଣା କରିବା ପରେ ଜେଏସ୍‌ପିଏଲ ଲୁହାପଥର ନେଇପାରିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
ଓଡ଼ିଶାରେ ଥିବା ପ୍ଲାଣ୍ଟ ଲାଗି ରୋକ ଲାଗିଥିବା ସାରଦା ମାଇନ୍ସରୁ ଆଇରନ ଓର୍‌ ନ ଉଠାଇବାକୁ ଜାନୁୟାରୀ ୧୬ରେ ସୁପ୍ରିମକୋର୍ଟ ଜେଏସପିଏଲକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କୁ ପରିବେଶ କ୍ଷତିପୂରଣ ରାଶି ୯୩୩ କୋଟି ଟଙ୍କା ଦେବାକୁ ସର୍ବୋଚ୍ଚ ଅଦାଲତ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥ ପଇଠ ନ କରିବା ଯାଏ ଖଣି କାର୍ଯ୍ୟ ଆରମ୍ଭ ନ କରିବାକୁ ଅଦାଲତ କହିଥିଲେ। ସୂଚନାଯୋଗ୍ୟ, ଏସଏମ୍‌ପିଏଲ ଜେଏସପିଏଲକୁ ଉଚ୍ଚମାନର ଲୁହାପଥର ଠାକୁରାଣୀ ବ୍ଲକରୁ ଯୋଗାଇ ଦେଇଥାଏ। ତେବେ ପରିବେଶ ମଞ୍ଜୁରୀ ନ ଥିବାରୁ ୨୦୧୪ ମାର୍ଚ୍ଚ ୩୧ରୁ ଏହି ଖଣିରୁ ଲୁହାପଥର ଯୋଗାଣ ବନ୍ଦ କରି ଦିଆଯାଇଛି। ଏହି ଖଣି ଚାଲୁ କରିବାକୁ ଏସଏମ୍‌ପିଏଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Share