ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭ ବର୍ଷ ହେବ ଜନସଂଖ୍ୟା ବଢୁନି। ବୈତୁଲ ଜିଲାର ଧନୋରା ଗ୍ରାମରେ ୯୭ ବର୍ଷ ହେବ ଜନସଂଖ୍ୟା ୧୭୦୦ରେ ସୀମିତ ରହିଛି। ଦୀର୍ଘବର୍ଷ ହେବ ଯେଉଁଭଳି ଭାବରେ ଏହି ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି, ତାହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି। ସ୍ଥାନୀୟ ନିବାସୀ ଏସ.କେ ମାହୋବୟା କହିଛନ୍ତି, ୧୯୨୨ରେ କଂଗ୍ରେସ ଗ୍ରାମରେ ଏକ ବୈଠକ କରିଥିଲା। ଏହି ବୈଠକରେ କସ୍ତୁରବା ଗାନ୍ଧୀଙ୍କ ସମେତ ଅନେକ ନେତା ସାମିଲ ଥିଲେ। ସେମାନେ ଛୋଟ ପରିବାର, ସୁଖୀ ପରିବାର ନାରା ଦେଇଥିଲେ। ଏହି ନାରା ଗ୍ରାମବାସୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସେବେଠୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗ୍ରାମବାସୀ ଧ୍ୟାନ ଦେଇଆସୁଛନ୍ତି। ଗାଁର ପ୍ରତି ଘରେ କାହାର ୨ରୁ ଅଧିକ ସନ୍ତାନ ନାହାନ୍ତି। ସେମାନେ ପରିବାର ନିୟୋଜନ ପଦ୍ଧତି ଆପଣାଇଛନ୍ତି। ପୁଅ ହେଉ ଅବା ଝିଅ ଦୁଇଟି ସନ୍ତାନ ହେବା ପରେ ସେମାନେ ତୃତୀୟ ସନ୍ତାନ ପାଇଁ ଚେଷ୍ଟା ମଧ୍ୟ କରି ନ ଥାନ୍ତି।