Categories: ରାଜ୍ୟ

୯ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ)- ରାଜ୍ୟର ୯ଟି ଖଣି ନିଲାମୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୭ ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌ ଏବଂ ଗୋଟିଏ ଲୁହା ପଥର ଓ ମାଙ୍ଗାନିଜ ମିଶ୍ରିତ ଖଣି ରହିଛି। ସେହି ଖଣିଗୁଡିକ ହେଲା-ପୁରହେଇବାହାଲ, ଚାନ୍ଦିପୋଷୀ, ରେଙ୍ଗାଲବରହା ଉତ୍ତର-ପୂର୍ବ, ଗନ୍ଧଳପଦା, ନେତ୍ରବନ୍ଧ ପାହାଡ(ପଶ୍ଚିମ), ଧୋଲତା ପାହାଡ, ଜୁମ୍‌କା ପାଥ୍ରିପୋଷୀର ଲୁହାପଥର ଖଣି। ସେହିପରି କାଳିମାଟି ମାଙ୍ଗାନିଜ ଖଣି ଏବଂ ଉଞ୍ଚାବାଲି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ନିଲାମୀ ହେବ। ପ୍ରତ୍ୟେକ ଖଣିର ଟେଣ୍ଡର ଦେୟ ୫ ଲକ୍ଷ ଟଙ୍କା ରହିଛି। ୱେବସାଇଟ୍‌ ଜରିଆରେ ଇ-ଅକ୍ସନ ପ୍ରକ୍ରିୟା ଦ୍ୱାରା ହେବାକୁ ଥିବା ଟେଣ୍ଡର କ୍ରୟର ଶେଷ ତାରିଖ ଚଳିତ ନଭେମ୍ବର ୨୯ ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ନିଲାମୀ ସମ୍ପର୍କିତ ବିଡ୍‌(ପ୍ରକ୍ରିୟା) ଡିସେମ୍ବର ୪ ଯାଏ ରଖାଯାଇଛି। ଚଳିତ ମାସରେ ୧୫ ଦିନ ମଧ୍ୟରେ ତୃତୀୟ ଥର ପାଇଁ ନିଲାମ ପ୍ରକ୍ରିୟା ଲାଗି ଆବେଦନ ଆହ୍ବାନ କରାଯାଇଛି। ଚଳିତ ମାସ ୪ ଏବଂ ୧୪ରେ ଖଣି ନିଲାମୀ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।

Share