୯ ଜିଲାକୁ ବ୍ୟାପିଛି କରୋନା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ଏବେ ୯ ଜିଲାକୁ କରୋନା ଭୂତାଣୁ ‘କୋଭିଡ୍‌-୧୯’ ଡେଇଁଲାଣି। ରବିବାର ସନ୍ଧ୍ୟାସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖା ୫୪ଜଣ ରହିଥିବାବେଳେ ଏମାନଙ୍କ ଘର ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ। ତେବେ ର୍ଖୋଦ୍ଧା ଜିଲାରେ ସର୍ବାଧିକ ୪୧ଜଣ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇଥିବାବେଳେ ୩୪ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଭଦ୍ରକରେ ୩ଜଣ ଆକ୍ରାନ୍ତ ରହିଥିବାବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ, ପୁରୀ ଓ ଯାଜପୁରରେ ଜଣେ ଲେଖାଏ ଆକ୍ରାନ୍ତ ଥିଲେ। ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁନ୍ଦରଗଡ଼ରେ ୨, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୨ ଓ ଢେଙ୍କାନାଳରେ ଜଣେ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଳାହାଣ୍ଡି ଜିଲାର ପ୍ରଥମ ଆକ୍ରାନ୍ତଙ୍କ ନମୁନା ନେଗେଟିଭ୍‌ ବାହାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ରାତିରେ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ପ୍ରତିଶତ ମହିଳା ରହିଥିବାବେଳେ ୬୫ପ୍ରତିଶତ ପୁରୁଷ ଅଛନ୍ତି। ଅର୍ଥାତ୍‌ ମହିଳା ୧୯ଜଣ ଓ ୩୫ଜଣ ପୁରୁଷ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share