୯ ଟ୍ରେନ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’: ୩ମାସରେ ଖର୍ଚ୍ଚ କମିଲା ୩ କୋଟି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଟ୍ରେନ୍‌ରେ ଉନ୍ନତ ଯାନ୍ତ୍ରିକ କୌଶଳ ବ୍ୟବହାର କରି ପୂର୍ବତଟ ରେଳପଥ ଖର୍ଚ୍ଚକାଟ୍‌ କରିବାରେ ସଫଳ ହୋଇଛି। ୯ ଟ୍ରେନ୍‌ର ୧୭ଟି ରେକ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’ ସିଷ୍ଟମ ବ୍ୟବହାର କରାଯିବା ଦ୍ୱାରା ଗତ ତିନିମାସ ମଧ୍ୟରେ ୩.୨ କୋଟି ଟଙ୍କା ଖର୍ଚ୍ଚ ହ୍ରାସ କରାଯାଇପାରିଛି। ଡିସେମ୍ବର ଶେଷସୁଦ୍ଧା ଆଉ ୧୬ ରେକ୍‌ରେ ଏହାକୁ ଲଗାଇବାକୁ ଯୋଜନା କରାଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ପୂର୍ବତଟ ରେଳପଥ ବାର୍ଷିକ ୪୦ କୋଟି ଟଙ୍କା ଖର୍ଚ୍ଚକାଟ କରିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ହେଡ୍‌ ଅନ୍‌ ଜେନେରେଶନ ବା ଏଚ୍‌ଓଜି ହେଉଛି ଏକ ବିଦ୍ୟୁତ୍‌ ଯୋଗାଣକାରୀ ସିଷ୍ଟମ। ଏହା ଟ୍ରେନ୍‌ର ଲୋକୋମୋଟିଭ୍‌ରୁ ଟ୍ରେନ୍‌ର ଅନ୍ୟ କୋଚ୍‌କୁ ବିଦ୍ୟୁତ୍‌ ଯୋଗାଉଛି। ଏହାଦ୍ୱାରା କୋଚ୍‌ରେ ଫ୍ୟାନ୍‌, ଲାଇଟ୍‌, ଏସି ଆଦି ବିଦ୍ୟୁତ୍‌ ଉପକରଣ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ଚାଲିପାରୁଛି। ପୂର୍ବରୁ ଏଥିଲାଗି ଜେନେରେଟର ବ୍ୟବହାର କରାଯାଉଥିଲା। ଫଳରେ ଇନ୍ଧନ ପୋଡ଼ିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଥିଲା। ଏବେ ଏଚ୍‌ଓଜି ବ୍ୟବହାର ହେବା ପରେ କେବଳ ଜରୁରିକାଳୀନ ସମସ୍ୟା ପାଇଁ ଗୋଟିଏ ଜେନେରେଟର ବ୍ୟବହାର କରାଯାଉଛି। ଏହି ସିଷ୍ଟମ ଦ୍ୱାରା କେବଳ ଖର୍ଚ୍ଚକାଟ୍‌ କରାଯାଇନି, ରାଜସ୍ବ ବଢ଼ାଇବାକୁ ମଧ୍ୟ ଯୋଜନା ହୋଇଛି। ଏହାସହ ‘ହେଡ୍‌ ଅନ୍‌ ଜେନେରେଶନ’ର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଜେନେରେଟରଠାରୁ ଯଥେଷ୍ଟ କମ୍‌। ସୂଚନାଯୋଗ୍ୟ, ଭାରତୀୟ ରେଳପଥ ୩୪୨ ଟ୍ରେନ୍‌ରେ ଏଚ୍‌ଓଜି ଲଗାଇସାରିଛି। ଏଥିଯୋଗୁ ବାର୍ଷିକ ୮୦୦ କୋଟି ଟଙ୍କା ଖର୍ଚ୍ଚ କାଟ କରିପାରିଛି। ଆଗକୁ ଆହୁରି ୨୮୪ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରିବାକୁ ଯୋଜନା ରହିଥିବା ରେଳପଥ ପକ୍ଷରୁ କୁହାଯାଇଛି।

Share