୯ ଦିନରେ ଏନ୍‌ବିଡବ୍ଲ୍ୟୁରେ ବନ୍ଧାହେଲେ ୫୧୨୧

କଟକ ଅଫିସ, ୬ା୨: ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୨୭ ତାରିଖରୁ ଚଳିତ ମାସ ୪ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ମୋଟ ୫୧୨୧ ଏନ୍‌ବିଡବ୍ଲ୍ୟୁକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିଭଳି ନ୍ୟାୟିକ ଉପାୟରେ ୪୩୩୩ ଏନ୍‌ବିଡବ୍ଲ୍ୟୁର ସମାଧାନ ହୋଇଛି ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ବୁଧବାର ଅପରାହ୍ନରେ ପୋଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇ ପ୍ରିୟଦର୍ଶୀ କହିଛନ୍ତି, ରାଜ୍ୟରେ ମୋଟ ଏନ୍‌ବିଡବ୍ଲ୍ୟୁ ସଂଖ୍ୟା ଥିଲା ୩୯,୨୫୪। ଅଭିଯାନ ସମୟରେ ୧୬୮୫ ନୂଆ ପରଓ୍ବାନା ଗ୍ରହଣ କରାଯାଇଥିଲା। ତେବେ ସ୍ବତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରିତା ଓ ସମାଧାନ ପରେ ଏବେ ଏନ୍‌ବିଡବ୍ଲ୍ୟୁ ସଂଖ୍ୟା ୩୧,୪୮୫କୁ ଖସି ଆସିଛି। କୋର୍ଟରେ ମାମଲାଗୁଡ଼ିକର ବିଚାର ସମୟରେ ପରଓ୍ବାନାର କାର୍ଯ୍ୟକାରିତା ଖୁବ୍‌ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।
ତାଙ୍କ ସୂଚନାନୁସାରେ, ୨୦୧୯ରେ ସମୁଦାୟ ୧୬,୪୯୯ଟି ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରାଯାଇଥିବାବେଳେ ୯ ଦିନିଆ ସ୍ବତନ୍ତ୍ର ଅଭିଯାନରେ ୫୧୨୧ ପରଓ୍ବାନା କାର୍ଯ୍ୟକାରୀ କରାଯାଇଛି। ଏତେ ସ୍ବଳ୍ପ ସମୟ ଭିତରେ ଭଲ ପ୍ରଦର୍ଶନ କରିଥିବା ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା ଜିଲାର ଏସ୍‌ପି ଓ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଡିଜିପି ପ୍ରଶଂସା କରିଛନ୍ତି। ଗଞ୍ଜାମ ଜିଲା ପୋଲିସ ସବୁଠୁ ଅଧିକ ୭୩୩ ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକରୀ କରିଥିବାବେଳେ କୋରାପୁଟ ପୋଲିସ ଜିଲା ୪୧୭ ଓ ଖୋର୍ଦ୍ଧା ୩୫୫ ଏବଂ କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଜିଲା ୨୦୦ରୁ ଅଧିକ ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରିଥିବା ସୂଚନା ଦିଆଯାଇଛି।

Share