Categories: ବାଣିଜ୍ୟ

୯ ବଡ଼ ବ୍ୟାଙ୍କ ବିରୋଧରେ ମାମଲା ଦାଏର କରିବ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌

ନୂଆଦିଲ୍ଲୀ,୧୧-୬: କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନୂଆ ବୋର୍ଡ ଦେଶର ୯ ବଡ଼ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିବାକୁ ଯାଉଛି। ସେମାନେ ବୋର୍ଡର ବିନାନୁମତିରେ କମ୍ପାନୀ ଆକାଉଣ୍ଟରୁ ପ୍ରାୟ ୮୦୦ କୋଟି ଟଙ୍କା ଉଠାଇ ନେଇଛନ୍ତି। କମ୍ପାନୀ ଉପରେ ଏବେ ୯୧ ହଜାର କୋଟି ଟଙ୍କାର ଋଣଭାର ରହିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ), ବ୍ୟାଙ୍କ ଅଫ୍‌ ବରୋଦା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଏବଂ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ବିରୋଧରେ ବୋର୍ଡ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। କମ୍ପାନୀ ସେମାନଙ୍କ ଠାରୁ ଉକ୍ତ ଅର୍ଥ ଫେରସ୍ତ ମାଗିପାରେ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କଗୁଡ଼ିକ ଏହାର ଏସ୍‌କ୍ରୋ ଆକାଉଣ୍ଟରୁ ଉକ୍ତ ଅର୍ଥ କାଢ଼ିଛନ୍ତି। ସୂଚନାଥାଉ କି, ବ୍ୟାଙ୍କଗୁଡ଼ିକ ଏବେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରୁ ପ୍ରାୟ ୫୧ ହଜାର କୋଟି ଟଙ୍କା ବକେୟା ଋଣ ବାବଦରେ ପାଇବେ। ବ୍ୟାଙ୍କଗୁଡ଼ିକ ଗତ ୬ ମାସ ମଧ୍ୟରେ ଏହି ଅର୍ଥ କାଢ଼ିଛନ୍ତି। ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବ୍ୟାଙ୍କଗୁଡ଼ିକ ଅବମାନନା କରିଛନ୍ତି ବୋଲି ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଛି। କୌଣସି ପ୍ରକାର ବକେୟା ଋଣ ଆଦାୟ ନ କରିବାକୁ ଏନ୍‌ସିଏଲ୍‌ଟି ନିର୍ଦ୍ଦେଶ ଦେଇଥିଲେ।

Share