୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ

ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟାଳୟରେ ସିନିୟର ଆକାଉଣ୍ଟାଣ୍ଟ ଶଶୀକାନ୍ତ ମିଶ୍ର ଅନଶନରେ ବସିଛନ୍ତି। ଏହି ଅନଶନ ସମୟରେ ସେ ଫାଇଲ କାମ ବି କରୁଥିଲେ। ତେବେ ଅନଶନରୁ ଦୂରେଇ ରହିବା ପାଇଁ ଆକାଉଣ୍ଟାଣ୍ଟଙ୍କୁ ପରାମର୍ଶ ଦିଆଯାଇଥିବା ଯୋଗାଣ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସାଢ଼େ ୯ ବର୍ଷ ହେବ ମିଶ୍ରଙ୍କୁ ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ଦରମା ମିଳୁନାହିଁ। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ସଚିବ, ଓଡ଼ିଶା ରାଜ୍ୟ ଯୋଗାଣ ନିରାପତ୍ତା ପଦସ୍ଥ ଅଧିକାରୀଙ୍କୁ ବହୁବାର ଅବଗତ କରାଇଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଶେଷରେ ଅଫିସ ଭିତରେ ଅନଶନ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଯୋଗାଣ ଅଧିକାରୀ ପତି କହିଛନ୍ତି ଯେ, ଏହି ଫାଇଲ ଏମ୍‌ଡିଙ୍କ ନିକଟରେ ରହିଛି। ତେବେ ୧୫ ଦିନ ମଧ୍ୟରେ ଆକାଉଣ୍ଟାଣ୍ଟଙ୍କୁ ତାଙ୍କର ଉପଯୁକ୍ତ ଦସ୍ତାବିଜ ଦାଖଲ କରିବାକୁ ଏମ୍‌ଡି କହିଥିଲେ। କିନ୍ତୁ ସୋମବାର ହଠାତ୍‌ ସେ ଅନଶନରେ ବସିଥିଲେ। ଏ ନେଇ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରାଯାଇଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଛୁଟିରେ ଅନିୟମିତତା ଓ ବିଭାଗୀୟ ପ୍ରୋସେଡିଂ ପାଇଁ ଦରମା ବନ୍ଦ ହୋଇଥିବା ଅଧିକାରୀ ପତି ପ୍ରକାଶ କରିଛନ୍ତି। କିନ୍ତୁ ଆକାଉଣ୍ଟାଣ୍ଟ ମିଶ୍ର କହିଛନ୍ତି, ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଜାଣିଶୁଣି ଏପରି ଷଡ଼ଯନ୍ତ୍ର ଚଳାଇଛନ୍ତି। ତେଣୁ ନ୍ୟାର୍ଯ୍ୟ ଦାବି ପାଇଁ ସେ ଲଢ଼େଇ କରୁଥିବା କହିଛନ୍ତି।

Share