Categories: ବାଣିଜ୍ୟ

୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ ରହିଛି। ଟଙ୍କା ମୂଲ୍ୟରେ ମଙ୍ଗଳବାର ୯୭% ପଇସା ହ୍ରାସ ଘଟିଥିବା ଜଣା ପଡିଛି। ଏହା ଫଳରେ ଏହା ୯ ମାସର ସର୍ବନିମ୍ନ ସ୍ତର ୭୨.୩୯ ଟଙ୍କା ସ୍ତରରେ ରହିଛି। ଘରୋଇ ପୁଞ୍ଜି ବଜାରରେ ପରଫରମାନ୍ସ ହ୍ରାସ, ଘରୋଇ ବଜାରର ପ୍ରଭାବିତ ସ୍ଥିତି ଯୋଗୁ ଏହା ନିବେଶକଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଶୁକ୍ରବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜିଡିପି ତଥ୍ୟକୁ ନେଇ ବଜାର ନିବେଶକମାନେ ଆଶଙ୍କାଗ୍ରସ୍ତ ହୋଇଛନ୍ତି। ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏହା ଜୁନ ତ୍ରୈମାସରେ ୫% ସ୍ତରକୁ ଖସି ଆସିଛି। ଏହାବାଦ ୮ କୋର ସେକ୍ଟର ଅଭିବୃଦ୍ଧି ୨.୧%କୁ ହ୍ରାସ ଘଟିଛି। କୋଇଲା, ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଆସିଛି। ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ବଜାରରେ ଟଙ୍କା ମଙ୍ଗଳବାର ନିମ୍ନ ସ୍ତର ୭୨ରୁ କାରବାର ଆରମ୍ଭ କରିଥିଲା। ଏହା ପୁନଶ୍ଚ ମୂଲ୍ୟ ହ୍ରାସ ହେବା ଯୋଗୁ ନିମ୍ନ ସ୍ତର ୭୨.୪୦ରେ ରହିଛି।
ଟଙ୍କା ମୂଲ୍ୟରେ ୯୭ ପଇସା ହ୍ରାସ ଘଟିବା ଯୋଗୁ ଡଲାର ତୁଳନାରେ ଏହାର ମୂଲ୍ୟ ୭୨.୩୯ ସ୍ତରରେ ସ୍ଥିର ରହିଛି। ଅଗଷ୍ଟ ୫ ପରଠାରୁ ଟଙ୍କା ପରଫରମାନ୍ସରେ ଏହା ସର୍ବାଧିକ ପ୍ରଭାବିତ କାରବାର। ଏହାବାଦ ୨୦୧୮ ନଭେମ୍ବର ୧୩ ପରଠାରୁ ଏହା ସର୍ବନିମ୍ନ ସ୍ତରର କ୍ଲୋଜିଂ। ଗଣେଷ ଚତୁର୍ଥୀ ଯୋଗୁ ଫରେକ୍ସ ବଜାର ବନ୍ଦ ରହିଥିଲା। ସେହିଭଳି ଡଲାର ମୂଲ୍ୟ ଦୃଢ ହେବା ଯୋଗୁ ଟଙ୍କା ମୂଲ୍ୟ କମୁଥିବା ଫରେକ୍ସ ଟ୍ରେଡରମାନେ କହିଛନ୍ତି। ବାଣିଜ୍ୟ ଯୁଦ୍ଧ ସହ ଆମେରିକା ଡଲାର ଚାହିଦା ଯୋଗୁ ଡଲାର ସୂଚୀ ଉଚ୍ଚରେ ରହୁଛି। ବାଣିଜ୍ୟ ଯୁଦ୍ଧ ନ ଥମିବା, ବ୍ରେକଜିଟ ଭୟ, ଅଶୋଧିତ ତୈଳ ମୂଲ୍ୟ ବଢିବା ଭଳି ପ୍ରସଙ୍ଗ ଟଙ୍କା ମୂଲ୍ୟକୁ ପ୍ରଭାବିତ କରୁଛି। ବାଣିଜ୍ୟ ଯୁଦ୍ଧ ଲାଗି ରହିଲେ ଟଙ୍କା ମୂଲ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ୭୩.୫% ସ୍ତର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।

Share