୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯ ସହରରେ ଏହି ପ୍ରକଳ୍ପ ଆରମ୍ଭ ହେବ। ବତ୍ତର୍ର୍ମାନ ସୁଦ୍ଧା ୫ ସହରରେ ଏଥିଲାଗି କାମ ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍‌। ସିଏଫ୍‌ଏଆର୍‌ ଏବଂ ଏହାର ସହଯୋଗୀ ଅନୁଷ୍ଠାନ ସଖା, ସ୍ବାଭିମାନ, ହେଲପ୍‌ଏଜ ଇଣ୍ଡିଆ ପକ୍ଷରୁ ସୋମବାର ସ୍ଥାନୀୟ ଇଡିକଲ୍‌ ଅଡିଟୋରିୟମ୍‌ଠାରେ ଆୟୋଜିତ ବିଶ୍ୱ ଶୌଚାଳୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମାଥି ଭାଥାନନ୍‌ ରାଜ୍ୟର ସର୍ବସାଧାରଣ ଶୌଚାଳୟଗୁଡ଼ିକରେ ୨୪ ଘଣ୍ଟିଆ ପାଣି ଏବଂ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।
ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ବିଶାଳ ପଦଯାତ୍ରା ଶିଶୁଭବନ ଛକଠାରୁ ବାହାରି ଇଡିକଲ୍‌ ଅଡିଟୋରିୟମ୍‌ ପର୍ଯ୍ୟନ୍ତ ଯାଇଥିଲା। ମଥି ଭାଥାନନ୍‌ ଏହାର ଶୁଭାରମ୍ଭ କରାଇଥିଲେ। ଏହି ଅବସରରେ ବହୁସଂଖ୍ୟାରେ ଦିବ୍ୟାଙ୍ଗ, କିନ୍ନର
ଏବଂ ବିଭିନ୍ନ କଲେଜ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଶୌଚାଳୟ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ନ୍ୟାସ ବେହରା, ଲିକୁନ ଚୌଧୁରୀ, ମୀରା ପରିଡ଼ା ପ୍ରମୁଖ ପଦଯାତ୍ରାରେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ବରିଷ୍ଠ ନାଗରିକ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ନାଟକ ପରିବେଷଣ ମାଧ୍ୟମରେ ଦେଖଣାହାରିଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ପରେ ପରେ ଅନୁଷ୍ଠିତ ସଭାରେ ସିଓ୍ବାଇଏସ୍‌ଡି ପ୍ରକଳ୍ପ ପରିଚାଳକ ବସନ୍ତ କୁମାର ନାୟକ, ହେଲପ୍‌ଏଜ ଇଣ୍ଡିଆ ରାଜ୍ୟ ମୁଖ୍ୟ ଭାରତୀ ଚକ୍ରଙ୍କ ସହ ମହେନ୍ଦ୍ର ଧଳ, ମିହିର ମହାନ୍ତି, ଏଲିସା ପଟ୍ଟନାୟକ ପ୍ରମୁଖ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଭାଗୀୟ ପ୍ରମୁଖ ସଚିବ ଚଳିତବର୍ଷ ଲାଗି ବିଶ୍ୱ ଶୌଚାଳୟ ଦିବସର ସ୍ବତନ୍ତ୍ର ପୁସ୍ତିକା ଉନ୍ମୋଚନ କରିଥିଲେ।

Share