୯/୧୧ ଭଳି ଆକ୍ରମଣ ପାଇଁ ପାକ୍‌ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୮ା୫(ଆଇଏଏନ୍‌ଏସ୍‌): ପାକିସ୍ତାନ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧରେ ୯/୧୧ ଆକ୍ରମଣ ଭଳି ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟ୍‌ଓ୍ବର୍କ (ଏଚ୍‌କ୍ୟୁଏନ୍‌) ଇସ୍‌ଲାମିକ୍‌ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାକୁ ଏହି ଆକ୍ରମଣ ପାଇଁ ସହଯୋଗ କରୁଛି। ଆଫଗାନିସ୍ତାନର ପୂର୍ବତନ ଗୋଇନ୍ଦା ମୁଖ୍ୟ ରହମତୁଲ୍ଲା ନାବିଲ୍‌ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି।
ଆଫଗାନିସ୍ତାନର ନ୍ୟାଶନାଲ ଡାଇରେକ୍ଟର ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌)ର ପୂର୍ବତନ ନିର୍ଦ୍ଦେଶକ ନାବିଲ୍‌ ରବିବାର ଏକାଧିକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଅଲ୍‌କାଏଦାକୁ ଏବେ ମଧ୍ୟ ପାକିସ୍ତାନ ଏବଂ ଏଚ୍‌କ୍ୟୁଏନ୍‌ଠାରୁ ସହାୟତା ମିଳୁଛି। ରାଷ୍ଟ୍ର ସମର୍ଥିତ ଆତଙ୍କବାଦକୁ ବନ୍ଦ କରା ନ ଗଲେ ଆମେ ୯/୧୧ ଭଳି ଆଉ ଏକ ଆକ୍ରମଣ ଭବିଷ୍ୟତରେ ଦେଖିବାକୁ ପାଇବା। ଅଲ୍‌-କାଏଦାର ଅଲ୍‌ ଜବାହିରି, ଅବୁ ମହମ୍ମଦ ଅଲ୍‌ ମାସ୍‌ରି ଓ ସୈଫ୍‌ ଉଲ୍‌ ଅଦେଲ ଏବେ ମଧ୍ୟ ପାଶ୍ଚାତ୍ୟ ବିରୋଧରେ ଆକ୍ରମଣ ଯୋଜନା କରୁଛନ୍ତି ବୋଲି ସେ ଟୁଇଟ୍‌ କରିଛନ୍ତି।

Share