Categories: ବାଣିଜ୍ୟ

୯.୧ ଲକ୍ଷ କୋଟିକୁ ଖସିପାରେ ଏନ୍‌ପିଏ

ନୂଆଦିଲ୍ଲୀ, ୪-୯: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଆର୍ଥତ୍କ ବର୍ଷ ୨୦୧୯-୨୦ରେ ୯.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିପାରେ।୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୯.୪ ଲକ୍ଷ କୋଟି ଟଙ୍କା ରହିଥିବା ଆସୋଚାମ ଏବଂ କ୍ରିସିଲ ପକ୍ଷରୁ ହୋଇଥିବା ମିଳିତ ଅଧ୍ୟୟନରୁ ସାମ୍ନାକୁ ଆସିଛି। କର୍ପୋରେଟ କ୍ଷେତ୍ରର ଏନ୍‌ପିଏ ସିଂହଭାଗ ରହିଛି। ବୃହତ୍ତ ପରିମାଣର ଋଣ ନେଇଥିବା ବ୍ୟକ୍ତିଙ୍କର ମୋଟ ଋଣ ୫.୪ ଲକ୍ଷ କୋଟି ଟଙ୍କା ରହିଛି। ମୋଟ ଋଣ ମଧ୍ୟରୁ କମ୍ପାନୀ ଆଇନ ଟ୍ରିବ୍ୟୁନାଲର ତାଲିକା-୧ ଏବଂ ତାଲିକା -୨ରେ ପ୍ରାୟ ୨.୧ ଲକ୍ଷ କୋଟି ଟଙ୍କା ସାମିଲ ରହିଛି। ସେହିଭଳି ଅନ୍ୟାନ୍ୟ ଷ୍ଟକ କ୍ଷେତ୍ରରେ ଋଣ ୨ ଲକ୍ଷ କୋଟି ଟଙ୍କା ରହିଛି। ସେହିଭଳି ୧.୩ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ସମ୍ପତ୍ତି ରହିଛି ଯାହକୁ ଏନ୍‌ପିଏ ପରିସରଭୁକ୍ତ କରାଯାଇ ନାହିଁ। ଆଗାମି ଦିନରେ ଏନ୍‌ପିଏ ହୋଇ ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଶକ୍ତି, ଭିତ୍ତିଭୂମି ଏବଂ ଇସ୍ପାତ କ୍ଷେତ୍ରରେ ୪.୧ ଲକ୍ଷ କୋଟି ଟଙ୍କାର ଚାପଗ୍ରସ୍ତ ସମ୍ପତ୍ତି ରହିଛି। ଏହା ମଧ୍ୟରେ ଶକ୍ତି କ୍ଷେତ୍ରରେ ଅଧିକ ଋଣ ରହିଛି। ଏହି କ୍ଷେତ୍ରରେ ଋଣ ଅସୁଲି ମଧ୍ୟ ଏତେଟା ଉନ୍ନତ ନୁହେଁ। ଚାପଗ୍ରସ୍ତ ସମ୍ପତ୍ତି ନେଇ ଆସିଥିବା ନୂଆ ନିୟମ ମୁତାବକ ଅସୁଲ ଉନ୍ନତ ହେବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।

Share