Advertisement

ୱାର୍ଡସଭ୍ୟାଙ୍କୁ ଦୁର୍ବ୍ୟବହାର, ମାଡ଼ ଅଭିଯୋଗ

ବାସୁଦେବପୁର, ୨୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ଜଣେ ୱାର୍ଡସଭ୍ୟାଙ୍କୁ ଶୁକ୍ରବାର ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନା ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଓ୍ବାର୍ଡସଭ୍ୟା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ଶୁକ୍ରବାର ସୁଦର୍ଶନପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ବୈଠକ ସରପଞ୍ଚଙ୍କ ଆହ୍ବାନ କ୍ରମେ ଡକାଯାଇଥିଲା। ବୈଠକରେ ଯୋଗଦେବାକୁ ସେ ତାଙ୍କ ସ୍ବାମୀଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବୈଠକ ଚାଲିଥିବା ବେଳେ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ବସିଥିଲେ। ଏହି ସମୟରେ ସୁଅଁା ଗ୍ରାମର ଜଣେ ଯୁବକ ପ୍ରଥମେ ତାଙ୍କ ସ୍ବାମୀଙ୍କୁ ଟଣାଓଟରା କରିଥିଲେ। ଏହି ଖବର ପାଇ ସେ ବୈଠକ ଛାଡ଼ି ବାରଣ୍ଡାକୁ ଆସି ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଜାତିଆଣ ନେଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏଥିସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share