Categories: ଖେଳ

ୱାର୍ଲଡ ଟୁର୍‌ ଫାଇନାଲ୍ସ: ପରାଜୟରୁ ସିନ୍ଧୁଙ୍କ ଅଭିଯାନ

ଗୁଆଙ୍ଗଝୋଉ, ୧୨।୧୨ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ପି.ଭି. ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ୱାର୍ଲଡ ଟୁର୍‌ ଫାଇନାଲ୍ସରେ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମୁକାବିଲାରେ ସିନ୍ଧୁ ଜାପାନର ଏକେନା ୟାମାଗୁଚିଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚ୍‌କୁ ୟାମାଗୁଚି ୧୮-୨୧, ୨୧-୧୮, ୨୧-୧୮ ଗେମ୍‌ରେ ବିଜୟୀ ଲାଭ କରିଥିଲେ। ସିନ୍ଧୁ ପ୍ରଥମ ଗେମ୍‌କୁ ୨୧-୧୮ରେ ଜିତିବା ପରେ ଦ୍ୱିତୀୟ ଗେମ୍‌ରେ ଏକଦା ୧୧-୬ରେ ଅଗ୍ରଣୀ ଲାଭ କରିଥିଲେ। କିନ୍ତୁ ୟାମାଗୁଚି ପ୍ରତ୍ୟାବର୍ତ୍ତନ କରି ୨୧-୧୮ରେ ଏହି ୨ୟ ଗେମ୍‌କୁ ଜିତି ୧-୧ ବରାବର୍‌ସ୍ତରକୁ ଆଣିଥିଲେ। ଅନ୍ତିମ ତଥା ୩ୟ ଗେମ୍‌କୁ ମଧ୍ୟ ସମାନ ବ୍ୟବଧାନରେ କବ୍‌ଜା କରି ୟାମାଗୁଚି ମ୍ୟାଚ୍‌କୁ ୨-୧ରେ ଜିତିନେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ପାଇଁ ୬୮ ମିନିଟ୍‌ ଲାଗିଥିଲା। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ପରବର୍ତ୍ତୀ ମ୍ୟାଚ୍‌ରେ ଚାଇନାର ଚେନ୍‌ ୟୁ ଫେଇ’ଙ୍କୁ ଭେଟିବେ। ପ୍ରକାଶଯୋଗ୍ୟ, ବିଶ୍ୱ ମାନ୍ୟତାର ଶ୍ରେଷ୍ଠ-୮ ମହିଳା ସିଙ୍ଗଲ୍ସ ଖେଳାଳିଙ୍କୁ ନେଇ ବର୍ଷ ଶେଷରେ ଏହି ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।

Share