ୱାଲର୍‌ଡ ବୁକ୍‌ ଅଫ୍‌ ରେକଡର୍‌ସରେ ଅଭିଷେକ: ୩୮ ଦିନରେ ୧୦ ହଜାର ପାଣି ବୋତଲ ବାଣ୍ଟିଛନ୍ତି

କଟକ ଅଫିସ,୧୭।୩: ସମାଜରେ ନିସ୍ବାର୍ଥପର ସେବା ପାଇଁ ୱାଲର୍‌ଡ ବୁକ୍‌ ଅଫ ରେକଡର୍‌ସ ୟୁକେରେ ସ୍ଥାନ ପାଇଛନ୍ତି କଟକ ଜିଲା ବାଦାମବାଡି ବିକାଶନଗର ଅଞ୍ଚଳର ଅଭିଷେକ ସାହୁ(୧୨)। ସେ ଫନି ବାତ୍ୟା ପରର ଗ୍ରୀଷ୍ମ୍‌ପ୍ରବାହ ସମୟରେ ପୋଲିସ ଏବଂ ଟ୍ରାଫିକ କର୍ମଚାରୀଙ୍କୁ ପାଣି ବୋତଲ ବାଣ୍ଟିଥିଲେ। ନିଜ ପାରିଶ୍ରମିକରୁ ୩୮ ଦିନ ମଧ୍ୟରେ ୧୦ ହଜାର ଥଣ୍ଡାପାଣି ବୋତଲ ବାଣ୍ଟିଥିଲେ। ଫଳରେ ବ୍ରିଟେନର ୱାଲର୍‌ଡ ବୁକ୍‌ ଅଫ ରେକଡର୍‌ସ ସଂସ୍ଥା ପକ୍ଷରୁ ଗତ ଫେବୃୟାରୀ ୨୬ରେ ତାଙ୍କୁ ଏହି ରେକର୍ଡରେ ସାମିଲ କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ସାର୍ଟିଫିକେଟ୍‌ ଓ ପଦକ ଉକ୍ତ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଛି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଅଭିଷେକ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ଭଲ ଛାତ୍ର ସହ ଜଣେ ଡ୍ରମ୍‌ବାଦକ ଭାବେ ମଧ୍ୟ ତାଙ୍କର ନଁା ରହିଛି। ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରନ୍ତି। ସେଥିରୁ ଯାହାକିଛି ଅର୍ଥ ମିଳେ, ତାହାକୁ ସମାଜସେବାରେ ନିୟୋଜିତ କରିଥାନ୍ତି। ବିଭିନ୍ନ ସମୟରେ ସେ ଅସହାୟ ପିଲାମାନଙ୍କୁ ପୋଷାକ ବାଣ୍ଟିବା, ବୃଦ୍ଧଙ୍କୁ ଖାଦ୍ୟ ଦେବା ଏବଂ ଗଛ ଲଗାଇବା କାର୍ଯ୍ୟ ମଧ୍ୟ କରିଛନ୍ତି। ଏହି ସାମାଜିକ କାର୍ଯ୍ୟ ପାଇଁ ପୂର୍ବରୁ ସେ ଓ୍ବାଲର୍‌ଡ ଗିନିଜ ରେକର୍ଡ ଓ ଓ୍ବାଲର୍‌ଡ ବୁକ୍‌ ଅଫ ରେକର୍ଡ(ଲଣ୍ଡନ) ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ତାଙ୍କୁ ଏହି କାର୍ଯ୍ୟରେ ବାପା ଆଲୋକ ରଞ୍ଜନ ସାହୁ, ମା’ ସସ୍ମିତା ସାହୁ, ଭାଇ ଅଭିନିତ୍‌ ସାହୁ ସହଯୋଗ କରିବା ସହିତ ପ୍ରେରଣା ଦେଉଥିବା ଅଭିଷେକ କହିଥିଲେ।

Share