Categories: ଖେଳ

ୱାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଭାରତୀୟ ଦଳର ନେତୃତ୍ୱ ନେବେ ଦୂତୀ

ଭୁବନେଶ୍ୱର ୩୦।୬(ସ୍ପୋଟର୍‌ସ ବ୍ୟୁରୋ)-ଇଟାଲିର ନାପୋଲିଠାରେ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ୩୦ତମ ୱାଲ୍ଡର୍ର୍ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏଥିରେ ସ୍ପ୍ରିଣ୍ଟ କୁଇନ ତଥା କିଟ୍‌ରେ ଅଧ୍ୟୟନରତ ଦୂତୀ ଚାନ୍ଦ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବେ। ଉଦ୍‌ଘାଟନୀ ଉତ୍ସବରେ ଦୂତୀ ଭାରତୀୟ ବିଶ୍ୱବିଦ୍ୟାଳୟ ପାଇଁ ପତାକାଧାରୀ ହେବେ। କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ଉପମୁଖ୍ୟ ଦାୟିତ୍ୱ ଦିଆଯାଇଛି। କିସ୍‌ର ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା ଅଫିସିଆଲ ପ୍ରତିନିଧିମଣ୍ଡଳର ଦାୟିତ୍ୱରେ ରହିବେ ଏବଂ ଆଥଲେଟକ୍ସେ ମୁଖ୍ୟ କୋଚ ସଞ୍ଜୟ ଗଡ଼ନାୟକ ଭାରତୀୟ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ଦଳର ନେତୃତ୍ୱ ନେବେ ବୋଲି ଶନିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି। ଓଡ଼ିଶାର ଏକମାତ୍ର କ୍ରୀଡ଼ାବିତ ଭାବେ ଦୂତୀ ୱାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ପ୍ରତିନିଧିତ୍ୱ କରୁଛନ୍ତି। ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାମନ୍ତ କହିଛନ୍ତି। ପ୍ରକାଶଯୋଗ୍ୟ, ଏପ୍ରିଲ ୨ରୁ ୫ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପ୍ରଶିକ୍ଷଣ ଓ ଚୟନ ଶିବିରରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ମୋଟ ୫୧ କ୍ରୀଡ଼ାବିତ, ୧୦ ଅଫିସିଆଲ ଯୋଗ ଦେଇଥିଲେ। ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ଶନିବାର ଇଟାଲୀ ଅଭିମୁଖେ ଯାତ୍ରା କରିବ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଧାବିକା ଦୂତୀ ଚାନ୍ଦ, କିସର ୫ ରଗ୍‌ବୀ ଖେଳାଳି ଓ ଭାରତୀୟ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ ଉପସ୍ଥିତ ରହି ୱାଲ୍ଡର୍ର୍ ୟୁନିଭର୍ସିଟି ଗେମ୍ସ ପ୍ରତିନିଧିଙ୍କୁ ଉତ୍ସାହିତ କରିଥିଲେ।

Share