‌କଟକଣାରେ ପାଳନ ହେଲା ଓଡ଼ିଆ ନବବର୍ଷ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା କଟକଣା ମଧ୍ୟରେ ବୁଧବାର ରାଜଧାନୀରେ ପାଳନ ହୋଇଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି। ଘରେ ଘରେ ଲୋକେ ପଣା ସଂକ୍ରାନ୍ତି ସହ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ କରିଛନ୍ତି। ତେବେ କରୋନା ସଂକ୍ରମଣ ପାଇଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଆଦି ପ୍ରମୁଖ ମନ୍ଦିର ବାହାରୁ ହିଁ ଶ୍ରଦ୍ଧାଳୁ ମୁଣ୍ଡିଆ ମାରି ଫେରିଥିଲେ। ତେବେ କେତେକ ମନ୍ଦିରରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣାକୁ ମାନି ମାସ୍କ ପରିଧାନ କରି ସାମାଜିକ ଦୂରତା ସହ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ମନ୍ଦିରରେ ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉଥିଲା। ସେହିପରି ସହରର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଆୟୋଜିତ ହୋଇଥିଲା। କରୋନା ପାଇଁ ଦୁଇବର୍ଷ ହେଲା ଓଡ଼ିଆ ନବ ବର୍ଷ ପାଳନ ଫିକା ପଡ଼ିଥିଲା।
ପଣାରେ ମହକିଲା ରାଜଧାନୀ
ପରମ୍ପରା ଅନୁସାରେ ରାଜଧାନୀର ଘରେ ଘରେ ପଣା ପ୍ରସ୍ତୁତ କରାଯିବା ସହ ବୃନ୍ଦାବତୀଙ୍କ ସ୍ବତନ୍ତ୍ର ପୂଜାବିଧି ପୂରଣ କରାଯାଇଥିଲା। କେତେକ ମନ୍ଦିର ପରିସରରେ କରୋନା କଟକଣାକୁ ମାନି ଶୃଙ୍ଖଳାର ସହ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ସାମାଜିକ କର୍ମୀମାନେ ଜଳଛତ୍ର ଓ ପଣା ବଣ୍ଟନ କରୁଥିବା ମଧ୍ୟ ନଜରକୁ ଆସିଥିଲା।
ମନ୍ଦିରରେ କଟକଣା ଯାଞ୍ଚ, ପଣା ବଣ୍ଟନ ବନ୍ଦ
ସଂକ୍ରମଣକୁ ଏଡ଼ାଇବା ପାଇଁ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଭିଡ଼କୁ ଦୃଷ୍ଟିରେ ରଖି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବିଭିନ୍ନ ମନ୍ଦିରରେ ଚଢ଼ାଉ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର, କପିଲେଶ୍ୱର ମନ୍ଦିର, ତାରିଣୀ ମନ୍ଦିର, ୟୁନିଟ-୧ ହନୁମାନ ମନ୍ଦିର, ଶହୀଦନଗରସ୍ଥିତ ବିଷ୍ଣୁ ମନ୍ଦିରରେ ଚଢ଼ାଉ କରାଯାଇ କୋଭିଡ୍‌ କଟକଣା ଯାଞ୍ଚ କରାଯାଇଥିଲା। ଏଥିସହ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଥିବା ୨୫ରୁ ଊର୍ଦ୍ଧ୍ୱ ଜଳଛତ୍ର ଓ ପଣା ବଣ୍ଟନ ଷ୍ଟଲ୍‌ରେ ପହଞ୍ଚତ୍ ମାନ ଯାଞ୍ଚ କରିଥିଲା। ଏଥିସହ ପ୍ରଦର୍ଶନୀ ପଡ଼ିଆ ଓ ବାପୁଜୀ ନଗରରେ ଚଢ଼ାଉ କରି କୋଭିଡ୍‌ କଟକଣା ଉଲ୍ଲଂଘନ ହେଉଥିବାରୁ ପଣା ବଣ୍ଟନକୁ ବନ୍ଦ କରିଥିଲା।

Share