ନୂଆଦିଲ୍ଲୀ, ୧୫।୩ – ଦୁଇ ବର୍ଷ ହେଲା ଦୁଇ ହଜାର ଟଙ୍କିଆ ନୋଟ୍ ଛପା ପ୍ରକ୍ରିୟା ବନ୍ଦ ଅଛି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏ ନେଇ ସଂସଦକୁ ଜଣାଇଛି ଅର୍ଥ ମନ୍ତ୍ରଣାଳୟ। ୨୦୧୬ରେ ବିମୁଦ୍ରିକରଣ ପରେ ଆସିଥିବା ଦୁଇ ହଜାର ଟଙ୍କିଆ ନୋଟ୍ ଏବେ କାହିଁକି ଖୁବ୍ କମ୍ ପରିମାଣରେ ନେଣଦେଣରେ ବ୍ୟବହାର ହେଉଛି ବୋଲି ଏକ ଲିଖିତ ପ୍ରଶ୍ନ କରିଥିଲେ ଏମ୍ଡିଏମ୍କେ ଏମ୍ପି ଏ. ଗଣେଶାମୁର୍ଥୀ।
ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ୨ ହଜାର ଟଙ୍କିଆ ଛପା ଯାଇନାହିଁ। ଏହି ନୋଟ୍ କେତେ ପରିମାଣରେ ଛପା ଯିବ, ସେ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପରାମର୍ଶରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି। ଲୋକଙ୍କ ପାଇଁ ନୋଟ୍ ବ୍ୟବହାର କରିବା ସୁବିଧାଜନକ କି ନୁହେଁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଏ। ଦୁଇ ହଜାର ଟଙ୍କିଆ ନୋଟର ପ୍ରସାରରେ ହ୍ରାସ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।