Categories: ଜାତୀୟ

ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ, ୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ସୁକେଶ ଚନ୍ଦ୍ରଶେଖର ନାମକ ଏକ ଠକ। ବେଆଇନ ଟଙ୍କା ନେଣଦେଣ ମାମଲାର ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ଏହା ଦର୍ଶାଇଛି।

ଚନ୍ଦ୍ରଶେଖର ତିହାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ବେଳେ ଜ୍ୟାକଲିନଙ୍କ ବ୍ୟତୀତ ନୋରା ଫତେଇଙ୍କୁ ମଧ୍ୟ ପଚରାଉଚରା କରିଥିଲେ ଇଡି ଅଧିକାରୀ।

ଚାର୍ଜଶିଟ୍‌ ଅନୁଯାୟୀ, ଚନ୍ଦ୍ରଶେଖର ଓ ଜ୍ୟାକଲିନଙ୍କ ମଧ୍ୟରେ ଚଳିତ ବର୍ଷ ଜାନୁୟାରୀରେ କଥାବର୍ତ୍ତା ଆରମ୍ଭ ହୋଇଥିଲା। ଏହାପରଠୁ ସେ ତାଙ୍କୁ ଉପହାର ପଠାଉଥିଲେ। ଉପହାର ତାଲିକାରେ ଜୁଏଲାରି, କ୍ରକେରି, ୪ ପରସିଆନ ବିଲେଇ ଏବଂ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ରହିଛି।

ତଦନ୍ତ ବେଳେ ଇଡି ଜାଣିବାକୁ ପାଇଥିଲା ଯେ, ଜେଲରେ ଥିଲା ବେଳେ ଜ୍ୟାକଲିନଙ୍କ ସହ ଫୋନରେ କଥା ହେଉଥିଲେ ଚନ୍ଦ୍ରଶେଖର। ଜାମିନରେ ବାହାରିବା ପରେ ଜ୍ୟାକଲିନଙ୍କ ପାଇଁ ମୁମ୍ବାଇରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଚେନ୍ନାଇ ଦୁଇଟି ଚାର୍ଟଡ ଫ୍ଲାଇଟ୍‌ ବୁକ କରିଥିଲେ। ଦୁହେଁ ଚେନ୍ନାଇର ଏକ ହୋଟେଲରେ ରହିଥିଲେ ବୋଲି ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏସବୁ ଲାଗି ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଚନ୍ଦ୍ରଶେଖର।

ଏହା ଛଡ଼ା ନୋରା ଫତେଇଙ୍କୁ ଉପହାର ବାବଦକୁ ଏକ ବିଏମ୍‌ଡବ୍ଲ୍ୟୁ କାର ଓ ଏକ ଆଇଫୋନ ଦେଇଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି।

Share