Categories: ବାଣିଜ୍ୟ

ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ

ଭୁବନେଶ୍ୱର,୧।୧: ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି ଜିଏସ୍‌ଟି ସଂଗ୍ରହ। ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଡିସେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଚଳିତବର୍ଷ ନଭେମ୍ବର ତୁଳନାରେ ୨ ପ୍ରତିଶତ କମ୍ ରହିଛି। ତେବେ ଲଗାତାର ଦଶମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ଉପରେ ରହିଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ହାରାହାରି ଜିଏସ୍‌ଟି ସଂଗ୍ରହ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି। ଡିସେମ୍ବରରେ, କେନ୍ଦ୍ରୀୟ ଜିଏସ୍‌ଟି ୩୦,୪୪୩ କୋଟି ସଂଗ୍ରହ ହୋଇଥିବା ବେଳେ, ରାଜ୍ୟ ଜିଏସ୍‌ଟି ୩୭,୯୩୫ କୋଟି, ଇଣ୍ଟିଗ୍ରେଟେଡ୍ ଜିଏସ୍‌ଟି ୮୪,୨୫୫ କୋଟି ଏବଂ ସେସ୍ ୧୨,୨୪୯ କୋଟି ଟଙ୍କା ସଂଗ୍ରହ ହୋଇଛି।

ଅନ୍ୟପଟେ ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ ହୋଇଛି। ୨୦୨୩ ଡିସେମ୍ବରରେ ୨୫୭୮ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି, ଯାହା ୨୦୨୨ ଡିସେମ୍ବରରେ ସଂଗ୍ରହ ହୋଇଥିବା ୧୫୧୫.୮୮ କୋଟିଠାରୁ ୭୦.୦୭ ପ୍ରତିଶତ ଅଧିକ।

 

Share