ବାଲେଶ୍ୱର,୧୭।୩(ବାଞ୍ଛାନିଧି ଦେ)- ବାଲେଶ୍ୱର ଜିଲା ରୂପ୍ସା ଥାନା ଅନ୍ତର୍ଗତ ରୂପସା ସାମିଲ ହାସନପୁର ଗ୍ରାମରେ ଏକ ବଡ଼ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୧୪/୨୫) ରୁଜୁ କରି ତଦନ୍ତ ଜାରି ରଖିଛି।
ଗ୍ରାମର ସୁରେଶ କୁମାର ବେହେରାଙ୍କ ପରିବାର ଲୋକେ ଘରେ ତାଲା ପକାଇ ପିଞ୍ଛାବଣିଆ ଦୋଳ ମେଳାକୁ ବୁଲିବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ୩୦ରେ ଘରେ ପହଞ୍ଚି ଫାଟକ ଓ ଘର କବାଟର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।
ଘରେ ଥିବା ଦୁଇଟି ସୁନା ମୁଦି, ଗୋଟିଏ ମଙ୍ଗଳସୂତ୍ର, ତିନୋଟି ସୁନା ହାର, ଏକ ହଳ କାନ ଫୁଲ, ଦୁଇହଳ ପଲା, ଚାରୋଟି ଲକେଟ୍, ଦୁଇହଳ ରୂପା ପାଉଁଜି, ଅଣ୍ଟା ବିଛା, ମୋବାଇଲ ସହ ନଗଦ ୭ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଏତଲାରେ ଦର୍ଶାଯାଇଛି। ଚୋରି ସୁନା ଅଳଙ୍କାରର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ବସ୍ତା ଏସ୍ଡିପିଓ ମାନସ କୁମାର ଦେଓ ଓ ରୂପ୍ସା ଥାନା ଓଆଇସି ମୌସୁମୀ ମହାନ୍ତି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି।
