Categories: ଜାତୀୟ

ମଧ୍ୟପ୍ରଦେଶରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଜୋର ଧରିଲା: ଶାସକ-ବିରୋଧୀ ମୁହାଁମୁହିଁ…

ଭୋପାଳ,୮।୮ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସରେ ରାଜନୈତିକ ଝଡ଼ ଦେଖାଦେଇଛି। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ବିବୃତ୍ତି ରାଜନୈତିକ ମହଲରେ ଉଷ୍ଣତା ଭରିଛି। ସେ ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରିଛନ୍ତି। କଂଗ୍ରେସରେ ଏହି ବିବୃତି ନେଇ ଆତଙ୍କ ଖେଳିଯାଇଥିବା ବେଳେ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ଏହାକୁ ନେଇ ଅଡୁଆରେ ପଡ଼ିଛି।

ଏହି ପ୍ରସଙ୍ଗକୁ ଭାଜପା ଉମଙ୍ଗ ସିଙ୍ଘାରଙ୍କ ହୃଦୟର ଯନ୍ତ୍ରଣା ବୋଲି ବର୍ଣ୍ଣନା କରିଛି। ଭାଜପା ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି ଏହା ତାଙ୍କ ମନର ବ୍ୟଥା। ସ୍ବାଧୀନତାର ୭୫ ବର୍ଷରେ, ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁସୂଚିତ ଜନଜାତିର ଭଉଣୀଙ୍କୁ ରାଷ୍ଟ୍ରପତି ପଦରେ ବସିବା କାର୍ଯ୍ୟ କରାଯାଇଛି। ଫଳରେ ଆମ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଥିଲା। ସେଥିପାଇଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପରିବର୍ତ୍ତନ ନେଇ ସିଙ୍ଘାରଙ୍କ ମନରେ ଯନ୍ତ୍ରଣା ହେଉଛି। କଂଗ୍ରେସ ଆଦିବାସୀମାନଙ୍କୁ ଭୋଟ ବ୍ୟାଙ୍କ ଭାବରେ ବିବେଚନା କରେ। ଏହା ହେଉଛି ତାଙ୍କ ମନର ଯନ୍ତ୍ରଣାର ଅଭିବ୍ୟକ୍ତି । ଉମଙ୍ଗ ସିଙ୍ଘାର ସମୟ ସମୟରେ ଦିଗବିଜୟ ସିଂ ଏବଂ କମଲ ନାଥଙ୍କୁ ଆଇନା ଦେଖାଇବା କାମ କରୁଛନ୍ତି । ଏହା ଭଲ। ବିରୋଧୀ ଦଳ ପକ୍ଷରୁ ଏହା ଜାରି ରହୁ ବୋଲି ସେ କହିଛନ୍ତି।

ସିଙ୍ଘାରଙ୍କୁ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ସମର୍ଥନ କରିଛନ୍ତିି। ସେ କହିଛନ୍ତି ସିଙ୍ଘାର ବିଭିନ୍ନ ସମୟରେ ଜନସାଧାରଣଙ୍କ ନିକଟରେ ସଠିକ ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି। ତେବେ ସିଙ୍ଘାରଙ୍କ ଜଣେ ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ ହେବା ଦାବିର ଉତ୍ତର କମଲ ନାଥ ଦେବା ଆବଶ୍ୟକ। କମଲ ନାଥ ସରକାରରେ ମନ୍ତ୍ରୀ ଥିବାବେଳେ ସିଙ୍ଘାର ଦିଗବିଜୟ ସିଂଙ୍କୁ ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ତଥା ସବୁଠାରୁ ବଡ ମାଫିଆ ବୋଲି କହିଥିଲେ।
ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ୨୩୦ଟି ବିଧାନସଭା ଆସନ ଅଛି। ସେଥିମଧ୍ୟରୁ ୪୭ ଟି ଆଦିବାସୀ ପ୍ରାଧାନ୍ୟ।

 

Share