Categories: ଜାତୀୟ

ବାହୁବଳୀଙ୍କ ପାଇଁ ‘ବିଏଫ୍‌’ ଫର୍ମୂଲା ଆଣିବେ ନୀତିଶ

ପାଟନା, ୫।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ତେବେ ଏଥରକ ନିର୍ବାଚନରେ ଆପରାଧିକ ମାମଲା ଥିବା ବାହୁବଳୀ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡ଼ିୟୁରେ ନୂଆ ‘ବିଏଫ୍‌’ ଫର୍ମୂଲା ଅର୍ଥାତ୍‌ ବାହୁବାଳୀ ଫ୍ୟାମିଲି ଫର୍ମୂଲା ଆଣିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଆପରାଧିକ ମାମଲା ଥିବା ନେତାଙ୍କୁ ଆଉ ଟିକଟ ମିଳିବ ନାହିଁ। ସେମାନଙ୍କ ପରିବାର ସଦସ୍ୟଙ୍କୁ ନିର୍ବାଚନରେ ଲଢ଼ିବାର ସୁଯୋଗ ମିଳିବ। ଏନେଇ ନୀତିଶ ସଙ୍କେତ ମଧ୍ୟ ଦେଇ ସାରିଛନ୍ତି। ସେ କହିଛନ୍ତି ଯେ, ଜେଡ଼ିୟୁରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଏଡ଼ିଆର୍‌ ପକ୍ଷରୁ ନୀତିଶଙ୍କ ୬୯ ଜଣ ବିଧାୟକଙ୍କ ଉପରେ ତଥ୍ୟ ସଂଗ୍ରହ ସେମାନଙ୍କ ପକ୍ଷରୁ ହୋଇଥିବା ସତ୍ୟପାଠ ଆଧାରରେ କରାଯାଇଥିଲା। ଜଣାପଡ଼ିଥିଲା। ୨୬ ଜଣ ବିଧାୟକଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି। ଅର୍ଥାତ୍‌ ଦଳର ୩୮ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଭଳି ନେତାଙ୍କ ଯୋଗୁ ବହୁ ସମୟରେ ସରକାର ଅସୁବିଧାରେ ପଡୁଛନ୍ତି। ତେଣୁ ସେମାନଙ୍କ ପାଇଁ ୨୦୨୦ ବିଧାନସଭା ନିର୍ବାଚନରେ ‘ବିଏଫ୍‌’ ଫର୍ମୂଲା ଆଣିବା ପାଇଁ ନୀତିଶ ଉଦ୍ୟମ କରୁଥିବା କୁହାଯାଉଛି।

Share