ଡାନିଶ୍‌ ସିଦ୍ଦିକିଙ୍କୁ ମରଣୋତ୍ତର ପୁଲିଜର

ନ୍ୟୁୟର୍କ,୧୧ା୫: ପରଲୋକଗତ ଫଟୋଜର୍ନାଲିଷ୍ଟ ଡାନିଶ ସିଦ୍ଦିକିଙ୍କ ସମେତ ୪ ଭାରତୀୟଙ୍କୁ ଫିଚର ଫଟୋଗ୍ରାଫି ବର୍ଗରେ ୨୦୨୨ ବର୍ଷ ଲାଗି ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନେ ହେଲେ ସିଦ୍ଦିକିଙ୍କ ସହକର୍ମୀ ଆଦନାନ ଆବିଦି, ସନ୍ନା ଇର୍ଶାଦ ମାଟ୍ଟୁ ଏବଂ ଅମିତ୍‌ ଡାଭେ। ରଏଟର୍ସ ନ୍ୟୁଜ୍‌ ଏଜେନ୍ସି ପାଇଁ କାର୍ଯ୍ୟ କରୁଥିବା ଏହି ଫଟୋଜର୍ନାଲିଷ୍ଟମାନଙ୍କୁ ସୋମବାର ପୁଲିଜର ପୁରସ୍କାର ବିଜେତା ଘୋଷଣା କରାଯାଇଛି। ସେମାନେ ଭାରତରେ କୋଭିଡ୍‌ ମୃତ୍ୟୁ ଉପରେ ଉତ୍ତୋଳନ କରିଥିବା ଫଟୋ ଅନ୍ତରଙ୍ଗତା ଓ ବିପର୍ଯ୍ୟୟ ମଧ୍ୟରେ ଏକ ସନ୍ତୁଳନ ଚିତ୍ର ପ୍ରଦାନ କରିଥିଲା ବୋଲି ପୁଲିଜର ପ୍ରାଇଜ୍‌ ଓ୍ବେବ୍‌ସାଇଟରେ ଉଲ୍ଲେଖ କରାଯାଇଛି। ବ୍ରେକିଂ ନ୍ୟୁଜ୍‌ ଫଟୋଗ୍ରାଫି ବର୍ଗରେ ପ୍ରଦର୍ଶିତ ଉକ୍ତ ଫଟୋଗୁଡ଼ିକ ବିଚାରକଙ୍କୁ ପ୍ରଭାବିତ କରିଥିଲା। ୩୮ ବର୍ଷୀୟ ସିଦ୍ଦିକି ଗତବର୍ଷ ଜୁଲାଇରେ ନ୍ୟୁଜ୍‌ ଏଜେନ୍ସି ପାଇଁ ଆଫଗାନିସ୍ତାନରେ କାମ କରୁଥିବାବେଳେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ସେହି ସମୟରେ ସେ କାନ୍ଦାହାର ସହରର ସ୍ପିନ୍‌ ବୋଲ୍‌ଡାକ୍‌ ଜିଲାରେ ଆଫଗାନ ସେନା ଓ ତାଲିବାନ ମଧ୍ୟରେ ସଂଘର୍ଷର ଫଟୋ ସଂଗ୍ରହ କରୁଥିଲେ।
ସିଦ୍ଦିକି ଦ୍ୱିତୀୟ ଥର ପାଇଁ ପୁଲିଜର ପୁରସ୍କାର ବିଜୟୀ ହୋଇଛନ୍ତି। ୨୦୧୮ରେ ସେ ରଏଟର ଟିମ୍‌ ସହ ରୋହିଙ୍ଗ୍ୟା ସଙ୍କଟର ଚିତ୍ର ଉତ୍ତୋଳନ କରି ପୁରସ୍କୃତ ହୋଇଥିଲେ। ଏଥର ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ଆଫଗାନ ସଂଘର୍ଷ, ହଂକଂ ଆନ୍ଦୋଳନ ଏବଂ ଏସିଆ, ମଧ୍ୟପ୍ରାଚ୍ୟ ଓ ୟୁରୋପର ଅନେକ ବଡ଼ ଘଟଣାର ଫଟୋ ସଂଗ୍ରହ କରିଥିଲେ। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ପରେ ୨୦୦୭ରେ ସେ ଜାମିଆର ଏଜେକେ ମାସ୍‌ କମ୍ୟୁନିକେଶନ ରିସର୍ଚ୍ଚ ସେଣ୍ଟରରୁ ଗଣଯୋଗାଯୋଗରେ ଡିଗ୍ରୀ ହାସଲ କରିଥିଲେ। ସିଦ୍ଦିକିଙ୍କ ସଫଳତାରେ ଆମେ ଗର୍ବିତ, ହେଲେ ତାଙ୍କୁ ମିସ୍‌ କରୁଛୁ ବୋଲି ତାଙ୍କ ବାପା ଅଖତର ସିଦ୍ଦିକି କହିଛନ୍ତି। ସେ ଦୁଃସାହସୀ ଓ ପେସାଦାର ଥିଲେ ଏବଂ ବିଶ୍ୱରେ ଦୁଃଖଯନ୍ତ୍ରଣା ପ୍ରତି ସହାନୁଭୂତିଶୀଳ ଥିଲେ ବୋଲି ଅଖତର ପୁଅଙ୍କ କାର୍ଯ୍ୟକୁ ମନେପକାଇ କହିଛନ୍ତି।

Share