ବଣାଇ, ୨୫।୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଗଡ଼ ମହାବିଦ୍ୟାଳୟ ପରୀକ୍ଷା ହଲ୍ରେ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏମ୍ଡି ଅର୍ବାଜ(୧୮)। ତାଙ୍କ ଘର ଲହୁଣୀପଡ଼ା ଥାନା ଜୁନିଆଣି ଗ୍ରାମରେ। ପୂର୍ବାହ୍ନରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ପରୀକ୍ଷା ହଲ୍ରେ ଅର୍ବାଜ ଅଚେତ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିଲେ ହେଁ ପ୍ରାରମ୍ଭିକ ପର୍ଯ୍ୟାୟରେ ହୃଦ୍ଘାତଜନିତ କାରଣରୁ ଘଟିଥାଇପାରେ ବୋଲି ଡାକ୍ତର କହିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।