ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍‌ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ରେପୋ ରେଟ୍‌କୁ ୫୦ ଆଧାର ପଏଣ୍ଟ ଅର୍ଥାତ୍‌ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ୍‌ ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଆରବିଆଇ ମୁଦ୍ରା ନୀତି ବେଅଠକ ପରେ ଗଭର୍ନର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ରେପୋ ରେଟ୍‌ ଏକ ମାସରେ ୯୦ ଆଧାର ପଏଣ୍ଟ ବୃଦ୍ଧି ପାଇଛି। ଆରବିଆଇର ଏହି ନିଷ୍ପତ୍ତି ପରେ, ଘର ଋଣ ଠାରୁ ଆରମ୍ଭ କରି କାର ଋଣ ଏବଂ ଶିକ୍ଷାଋଣ ପର୍ଯ୍ୟନ୍ତ ମହଙ୍ଗା ହେବା ନିଶ୍ଚିତ ହୋଇଛି। ଅପରପକ୍ଷରେ ଯେଉଁମାନେ ଘର ଋଣ ନେଇସାରିଛନ୍ତି, ସେମାନଙ୍କର ଇଏମ୍‌ଆଇ ବା ମାସିକ କିସ୍ତି ଅଧିକ ମହଙ୍ଗା ହେବ। ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ଗଭର୍ନର ନିଷ୍ପତ୍ତି ନେଇଛନ୍ତି।

ଆରବିଆଇ ମୁଦ୍ରା ନୀତି କମିଟିର ବୈଠକ ୬ ଜୁନ ରୁ ଆରମ୍ଭ ହୋଇଥିଲା ଏବଂ ବୁଧବାର ବୈଠକର ଶେଷ ଦିନ। ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ହୋଇଛି, ଯାହାକି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛ। ଯେଉଁଥିପାଇଁ ଆରବିଆଇ ରେପୋ ହାର ବୃଦ୍ଧି ପାଇଁ ନିଷ୍ପତ୍ତି ନେବାକୁ ପଡ଼ିଥିବା କୁହାଯାଉଛି।

ଏହା ପୂର୍ବରୁ ମେ ୪ ଆରବିଆଇ ରେପୋ ରେଟ୍‌ରେ ୪୦ ଆଧାର ପଏଣ୍ଟ ବୃଦ୍ଧି କରିଥିଲା। ଫଳରେ ଏହା ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଆରବିଆଇ ଗଭର୍ନର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଯୋଗାଣ ସମସ୍ୟା ପାଇଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। କୋଭିଡ ମହାମାରୀ ପରେ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଆରବିଆଇ ପଦକ୍ଷେପ ଜାରି ରଖିଛି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପର ଗତି ମନ୍ଥର ହୋଇଛି ଏବଂ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖାଯାଉଛି।

Share