୧୯% ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଧାନ ୬୦.୪୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୯% ଅଧିକ। ଗତବର୍ଷ ୯.୧୭ ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଚଳିତବର୍ଷ ୧୧.୨୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକିଛନ୍ତି। ଫେବୃୟାରୀ ୨୬ ସୁଦ୍ଧା ୧୦.୫୩ ଲକ୍ଷ ଚାଷୀଙ୍କଠାରୁ ୫୭.୬୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ମାର୍ଚ୍ଚ ୧୨ ସୁଦ୍ଧା ୧୧.୨୫ ଲକ୍ଷ ଚାଷୀଙ୍କଠାରୁ ୬୦.୪୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି। ଅର୍ଥାତ୍‌ ଚଳିତ ବର୍ଷ ୭୨ ହଜାରରୁ ଅଧିକ ଚାଷୀଙ୍କଠାରୁ ୨.୭୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୁକ୍ରବାର ଅପରାହ୍ନରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନିୟମିତ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ, ଉପସମବାୟ ନିବନ୍ଧକ, ସରକାରୀ ସମବାୟ ନିବନ୍ଧକମାନଙ୍କୁ ପ୍ରକୃତ ଚାଷୀ ଚିହ୍ନଟ କରି ସେମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଭୂତ ଚାଷୀ ଓ ବେପାରୀମାନଙ୍କଠାରୁ ଧାନ ସଂଗ୍ରହ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୂତଚାଷୀ ଓ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୨ ତାରିଖ ସୁଦ୍ଧା ବୈଧତା ହରାଇଥିବା ଟୋକନଗୁଡ଼ିକ ସମ୍ପର୍କରେ ତଦନ୍ତ କରିବା ପାଇଁ କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲାରେ ୧୫୦ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିବା ଘଟଣାର ତଦନ୍ତ ଜାରି ରହିଛି। ଦେବଗଡ଼ ଜିଲାରେ ବୈଧତା ହରାଇଥିବା ୨୯୦୦ ଏବଂ ମୟୂରଭଞ୍ଜ ଜିଲାରେ ୫୦୦୦ ଟୋକନ ବାବଦରେ ତଦନ୍ତ ଚାଲୁରହିଛି। ସେହିପରି ନବରଙ୍ଗପୁର ଜିଲାରେ ମଧ୍ୟ ପ୍ରାୟ ୨୦୦ ଚାଷୀଙ୍କ ବାବଦରେ ତଦନ୍ତ କାର୍ଯ୍ୟ ଜାରି ରହିଛି। ଧାନ କ୍ରୟରେ ଅବହେଳା ପାଇଁ ୯୨ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ଚାନ୍ଦବାଲି ଆରଏମ୍‌ସି ସମ୍ପାଦକଙ୍କୁ ଧାନ କ୍ରୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଓ ଭଦ୍ରକ ଜିଲାରେ ଜାଲିଆତି କରିଥିବା ୨ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଇଛି। ବଲାଙ୍ଗୀର ଜିଲାର ୪୦୦ ଜଣ ଭୂତଚାଷୀଙ୍କ ବାବଦରେ ତଦନ୍ତ ଚାଲୁରହିଛି। ଯଦି କୌଣସି ଯୋଗ୍ୟ ଚାଷୀ ଧାନ କ୍ରୟ ସୁଯୋଗରୁ ବଞ୍ଚିତ ହୋଇଛନ୍ତି, ତାହାର ତାଲିକା ଦେଲେ ସେ ବାବଦରେ ତଦନ୍ତ କରାଯାଇ ଧାନ ଉଠାଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Share