
ବ୍ରହ୍ମପୁର,୨୫ା୩(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ସାମୁଦ୍ରିକ ବେଳାଭୂମିରେ ପୁଣି ଅଲିଭ ରିଡ୍ଲେ କଇଁଛଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଆଜକୁ ୩ ଦିନ ହେଲା କଇଁଛମାନେ ଅଣ୍ଡାଦେବାରେ ଲାଗିଛନ୍ତି। ୩ ଦିନ ଭିତରେ ୧ ଲକ୍ଷ ୨୦ ହଜାର ୩୧ କଇଁଛ ଅଣ୍ଡା ଦେଇଛନ୍ତି। ପାଗ ଅନୁକୂଳ ଥିବା ଯୋଗୁ ଏହା ସମ୍ଭବ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରଥମ ପର୍ଯ୍ୟାୟରେ ୮ ଦଫାରେ ୬ ଲକ୍ଷ ୯୭ ହଜାର ୭୧୮ କଇଁଛ ଅଣ୍ଡା ଦେଇଥିଲେ। ଦୀର୍ଘ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟକ କଇଁଛ ଅଣ୍ଡା ଦେଇଥିବାରୁ ଚଳିତବର୍ଷ ଏହା ରେକର୍ଡ କରିଥିଲା। ପୁଣି ପାଗ ଅନୁକୁଳ ହେବାରୁ ସୋମବାର ୪୧ ହଜାର ୭୩୧ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ତେବେ ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୧୮ ହଜାର ୭୪୯ କଇଁଛ ଅଣ୍ଡା ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ପ୍ରଥମ ପର୍ଯ୍ୟାୟରେ ଅଣ୍ଡା ଓ କଇଁଛମାନଙ୍କ ଯେଭଳି ସୁରକ୍ଷା କରିବା କଥା ବନ ବିଭାଗ ଓ ସ୍ବେଚ୍ଛାସେବୀମାନେ ମିଶି କରିଛନ୍ତି। ପ୍ରତି ୫୦ ମିଟରରେ ଜଣେ ବନ କର୍ମଚାରୀଙ୍କୁ କଇଁଛ ଗଣତି ସକାଶେ ନିୟୋଜିତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୋଖରକୁଦାରୁ ବଟେଶ୍ୱର ମୁହାଣ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡା ଦେଇଛନ୍ତି। ବଡ କଥା ହେଲା ରବିବାର ପ୍ରବଳ ବର୍ଷାରେ ବାଲି ଦବି ଯାଇଛି। ପୂର୍ବରୁ ଯେଉଁ କଇଁଛମାନେ ଅଣ୍ଡାଦେବାକୁ ଆସିଥିଲେ ସେମାନଙ୍କ ଛୁଆ ଫୁଟିବା ବେଳ ପାଖେଇ ଆସୁଥିବାବେଳେ ସେଥିରୁ ଛୁଆ ଫୁଟିବେ କି ନାହିଁ ତାହା ପରିବେଶବିଙ୍କୁ ଆନ୍ଦୋଳିତ କରୁଛି।
ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ କଇଁଛମାନେ ଆସି ଅଣ୍ଡା ଦେଇଛନ୍ତି ସେମାନେ ସେହି ସ୍ଥାନରେ ହିଁ ଅଣ୍ଡା ଦେଇଥିବାରୁ ପୂର୍ବ କଇଁଛଙ୍କ ଅଣ୍ଡା ପ୍ରତି ବିପଦ ରହିଛି। ତେଣୁ ଯେମିତି ହେଲେ ବି ବହୁତ ଅଣ୍ଡା ନଷ୍ଟ ହୋଇଯାଇପାରେ ବୋଲି ପରିବେଶବିତ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନୀ ଖୋଖରଙ୍କୁ ପଚାରିବାରେ ସେ କହିଲେ ଯେ, କଇଁଛମାନେ ସୁରକ୍ଷିତ ଭାବେ ଅଣ୍ଡା ଦେଇ ଯାଇଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଅଣ୍ଡା ଦେବାକୁ ଆସୁଥିବା କଇଁଛଙ୍କୁ ସୁରକ୍ଷା ସହ ଅଣ୍ଡାଗୁଡିକ କିଭଳି ସୁରକ୍ଷିତ ରହିବ ସେଥିନେଇ ପ୍ରୟାସ ଜାରି ରହିଛି।