Categories: ଜାତୀୟ

୧.୨୫ ଲକ୍ଷ ସୁରକ୍ଷା ପଦବୀ ଖାଲି

ନୂଆଦିଲ୍ଲୀ,୧୯ା୬(ପି.ଟି.): ଭାରତୀୟ ରେଲଓ୍ବେର ସୁରକ୍ଷା ବର୍ଗରେ ମଞ୍ଜୁରୀପ୍ରାପ୍ତ ୧୦ ଲକ୍ଷ ପଦବୀ ମଧ୍ୟରୁ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଖାଲିପଡ଼ିଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଗତ ମାର୍ଚ୍ଚରେ ରେଳ ମନ୍ତ୍ରଣାଳୟରୁ ହସ୍ତଗତ ତଥ୍ୟରୁ ଏହା ଜଣାପଡ଼ିଛି।

ଅଧିକାରୀମାନେ ଟ୍ରେନ୍‌ଗୁଡ଼ିକର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବିଷୟ କହୁଥିବାବେଳେ ଦେଶର ବିଭିନ୍ନ ଭାଗରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାର କାରଣ ହେଲା ଡ୍ରାଇଭର, ଇନ୍ସପେକ୍ଟର, କ୍ରିଉ କଣ୍ଟ୍ରୋଲର, ଲୋକୋ ଇନ୍‌ଷ୍ଟ୍ରକ୍ଟର, ଟ୍ରାକ୍‌ ମ୍ୟାଣ୍ଟେନର, ଷ୍ଟେଶନ ମାଷ୍ଟର, ପଏଣ୍ଟ୍‌ସମ୍ୟାନ, ଇଲେକ୍ଟ୍ରିକାଲ ସିଗ୍‌ନାଲ ମ୍ୟାଣ୍ଟେନର ଓ ସିଗ୍‌ନାଲିଂ ସୁପରଭାଇଜର ଭଳି ସୁରକ୍ଷା ବର୍ଗରେ ୧.୨୫ ଲକ୍ଷ ପଦବୀ ଖାଲିପଡ଼ିଛି। ୨୦୨୪ ମାର୍ଚ୍ଚ ୧ ସୁଦ୍ଧା ୧୦,୦୦,୯୪୧ ପଦବୀ ମଞ୍ଜୁର ହୋଇଥିବାବେଳେ ସେଥିରୁ ୮,୪୮,୨୦୭ ପୂରଣ ହୋଇଥିଲା। ୧,୫୨,୭୩୪ ପଦବୀ ଖାଲି ପଡ଼ିଥିବା ଆର୍‌ଟିଆଇ ଆବେଦନର ଉତ୍ତରରେ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ମେଲ୍‌/ଏକ୍ସପ୍ରେସ୍‌ /ପାସେଞ୍ଜର/ମାଲବାହୀ ଟ୍ରେନ୍‌ଗୁଡ଼ିକର ମଞ୍ଜୁରୀପ୍ରାପ୍ତ ଲୋକୋ ପାଇଲଟ ପଦବୀ ସଂଖ୍ୟା ୭୦,୦୯୩ ହୋଇଥିବାବେଳେ ସେଥିରୁ ୧୪,୪୨୯ ପଦବୀ ଖାଲିପଡ଼ିଛି। ସେହିପରି ୫୭,୫୫୧ ଆସିଷ୍ଟାଣ୍ଟ ଡ୍ରାଇଭର ପଦବୀ ମଞ୍ଜୁର ହୋଇଥିବାବେଳେ ୪,୩୩୭ ଖାଲିପଡ଼ିଛି। ମଧ୍ୟପ୍ରଦେଶର ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌରଙ୍କୁ ରେଳ ମନ୍ତ୍ରଣାଳୟ ଏହି ତଥ୍ୟ ଦେଇଛି। ରେଲଓ୍ବେ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକ ବାରମ୍ବାର ଏହି ପ୍ରସଙ୍ଗ ଉଠାଇବା ସତ୍ତ୍ୱେ ଖାଲି ପଦବୀ ପୂରଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ରେଲଓ୍ବେମ୍ୟାନ୍‌ ଆସିଷ୍ଟାଣ୍ଟ ଜେନେରାଲ ସେକ୍ରେଟାରି ଅଶୋକ ଶର୍ମା କହିଛନ୍ତି, କର୍ମଚାରୀମାନେ ଚାପଗ୍ରସ୍ତ ଥିବାବେଳେ ସୁରକ୍ଷା ବର୍ଗ ପଦବୀ ପୂରଣ କରାଯାଉ ନାହିଁ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ସବୁଠୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ୨ ବର୍ଷ ପୂର୍ବେ ରେଳ ମନ୍ତ୍ରଣାଳୟ ସୁରକ୍ଷା ବର୍ଗ ପଦବୀ ସୃଷ୍ଟି କରିବା ବନ୍ଦ କରିଦେଇଛି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବିନା ସହମତିରେ ଏହି ପଦବୀ ସୃଷ୍ଟି କରାଯାଇପାରିବ ନାହିଁ। ଅନ୍ୟପକ୍ଷେ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୦୪-୧୪ରେ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ପାଇଁ ୭୦,୨୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪-୨୪ରେ ୧,୭୮,୦୦୦ କୋଟି ଟଙ୍କା ଅର୍ଥାତ୍‌ ପ୍ରାୟ ୨.୫ ଗୁଣ ଅଧିକ ନିବେଶ ହୋଇଛି।

Share