Categories: ବାଣିଜ୍ୟ

ୟୁବିଆଇ ପକ୍ଷରୁ ୧.୩୪ କୋଟିର ଋଣ ମଞ୍ଜୁର

ଭୁବନେଶ୍ୱର,୧୫।୬: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ବାଲେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱରର ବାଳମୁକୁଳିଠାରେ ଏକ ଜନ ସୁରକ୍ଷା ଶିବିର ଓ ସ୍ବୟଂ ସହାୟକ ଗୋଷ୍ଠୀ ଋଣମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ୟୁବିଆଇ ବାଲେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଜୟଗୋପାଳ ବେହେରା,ଉପ କ୍ଷେତ୍ରୀୟ ମୁଖ୍ୟ ଜି.ଏନ୍‌. ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଳମୁକୁଳି ଶାଖାର ଶାଖା ପ୍ରବନ୍ଧକ ସୁଶାନ୍ତ ମଲ୍ଲିକଙ୍କ ସମେତ ଉଙ୍ଗରା ଶାଖାର ଶାଖା ପ୍ରବନ୍ଧକ ରାକେଶ ଦାଶ ଓ ଯାଜପୁର ମୁଖ୍ୟ ଶାଖାର ଶାଖା ପ୍ରବନ୍ଧକ ସଚିନ ସୋନୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର କ୍ଷେତ୍ରର ବିଭିନ୍ନ ଶାଖାର ପ୍ରମୁଖ ଗ୍ରାହକ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଏପରିକି ମୋଟ ୨୭ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧.୩୪ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ଜୟଗୋପାଳ ବେହେରା ପ୍ରଦାନ କରିଥିଲେ। ସେହିଭଳି କ୍ଷେତ୍ରର ସବୁ ବର୍ଗର ଗ୍ରାହକଙ୍କ ମଧ୍ୟରେ ଜନସୁରକ୍ଷା ବୀମା ଯଥା ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ବିଷୟରେ ଅବଗତ କରାଇବା ସହିତ ଜନସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ଶାଖା ମୁଖ୍ୟମାନଙ୍କୁ ଉଭୟ ବେହେରା ଓ ଦାସ କହିଥିଲେ। ସେହିପରି ଉକ୍ତ ଶିବିର ଜରିଆରେ ମୋଟ ୬୦୦ ଜନ ସୁରକ୍ଷା ବୀମା ନାମାଙ୍କନପତ୍ର ଗ୍ରହଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଶକ୍ତିପ୍ରସାଦ ରଥଙ୍କ ଦ୍ୱାରା ଉକ୍ତ ଶିବିର ଉତ୍ତମ ଭାବେ ଆୟୋଜିତ ହୋଇଥିଲା।

Share