Categories: ବାଣିଜ୍ୟ

ଦିନକରେ ୧.୩୮ ଲକ୍ଷ କୋଟି ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୫।୪: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ବଜାରର ମାନ୍ଦାବସ୍ଥା ଯୋଗୁ ଗତ ସପ୍ତାହରେ ଶେୟାର ବଜାର କାରବାରରେ ବ୍ୟାପକ ହ୍ରାସ ଘଟିଥିଲା। ଫଳରେ ଲକ୍ଷାଧିକ ଟଙ୍କାର ନିବେଶ ଶେୟାର ବଜାରର ନିବେଶକମାନେ ହରାଇଥିଲେ। ହେଲେ ଗୋଟିଏ ସପ୍ତାହ ପରେ ପୁଞ୍ଜିବଜାରରେ ପୁଣି ଥରେ ଉତ୍ସାହ ଫେରିଥିବା ଜଣାପଡିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାରବାର ଶେଷ ସୁଦ୍ଧା ନିବେଶକମାନେ ଦିନକ ମଧ୍ୟରେ ପ୍ରାୟ ୧.୩୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ସେହିଭଳି ସୋମବାର ଶେୟାର ବଜାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ସେନସେକ୍ସ ପୁଣି ଥରେ ୬୦,୦୦୦ ଅଙ୍କ ପାର୍‌ କରିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି-୫୦ ମଧ୍ୟ ୧୮,୦୦୦ (୧୭,୭୪୩.୪୦) ଅଙ୍କର ନିକଟତର ହୋଇଛି। ବିଶେଷକରି ବିଏସଇର ମିଡକ୍ୟାପ ଏବଂ ସ୍ମଲକ୍ୟାପ ସୂଚକାଙ୍କ ଯଥାକ୍ରମେ ୦.୪୭% ଏବଂ ୦.୩୪% ବୃଦ୍ଧି ସହ ପ୍ରଥମ ଦିନର କାରବାର ଶେଷ ହୋଇଛି। ଫଳରେ ଶେୟାର ବଜାର ନିବେଶକଙ୍କ ସମ୍ପତ୍ତି ଦିନକ ମଧ୍ୟରେ ପ୍ରାୟ ୧.୩୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ସେହିଭଳି ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ସୋମବାର ପ୍ରାୟ ୧.୩୮ ଲକ୍ଷ କୋଟି ବଢି ୨୬୬.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଶୁକ୍ରବାର) ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ୨୬୪.୯୭ ଲକ୍ଷ କୋଟି ଟଙ୍କାରେ ରହିଥିଲା। ସେହିପରି ସୋମବାର ବଜାର କାରବାର ମଧ୍ୟରେ ବ୍ୟାଙ୍କିଙ୍କ, ଫାଇନାନସିଆଲ୍‌, ରିୟଲ ଇଷ୍ଟେଟ, ମେଟାଲ ଏବଂ ଆଇଟି ଭଳି ପ୍ରମୁଖ ଶେୟାରଗୁଡିରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ସୋମବାର ବିଏସଇର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୪୦୧.୦୪ ପଏଣ୍ଟ ବୃଦ୍ଧି ଘଟି ୬୦,୦୫୬.୧୦ ଅଙ୍କରେ ବନ୍ଦ ହୋଇଥିଲାବେଳେ ଏନଏସଇର ନିଫ୍ଟି-୫୦ ଶେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟିରେ ମଧ୍ୟ ୧୧୯.୩୫ ପଏଣ୍ଟ ବଢି ୧୭,୭୪୩.୪୦ ଅଙ୍କରେ କାରବାର ବନ୍ଦ କରିଛି।

Share