୧.୪୦ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ ଅଫିସ, ୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନ ୨୧ ନଂ. ୱାର୍ଡର ହେଲାସାହିରେ ୨ଟି ଜାଗାରେ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲାସାହିର ଶେଖ୍‌ ଇଲିୟାସ(ବାବୁ) ବୋଲି ସୋମବାର ଅପରାହ୍ନରେ ପୁରୁଣାବଜାର ଥାନାରେ ଏକ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଏନେଇ ଥାନାରେ ମାମଲା (ନଂ.୧୮୩/୨୩) ରୁଜୁ ହୋଇଛି।
ପୁରୁଣାବଜାର ଅଞ୍ଚଳ ନକଲି ଜର୍ଦ୍ଦାର ହବ୍‌ ପାଲଟିଛି। ବହୁ ସମୟରେ ପୋଲିସ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତଥାପି ନକଲି ଜର୍ଦ୍ଦା କାରବାର ଥମିବାର ନଁା ଧରୁନି। ହେଲାସାହିରେ ଘର ପାଖରେ ଶେଖ୍‌ ଇଲିୟାସ ଏହି କାରବାର ଚଳାଇଥିଲେ। ୧.୪୦ କୁଇଣ୍ଟାଲ ନକଲି ଜର୍ଦ୍ଦା, ୧୦ ବୋତଲ ଲିକ୍ୟୁଇଡ୍‌, ୭୦ ଲିଟର ଚକୋଲେଟ୍‌ ତେଲ, ୩ଟି ପ୍ୟାକିଂ ମେଶିନ, ୫ଟି ତିଆରି ମେଶିନ, ୨ ଓଜନ ମେଶିନ, ୨ ଇଲେକ୍ଟ୍ରି ଓଜନ ମେଶିନ, ୨ ଇଲେକ୍ଟ୍ରି ଆଇରନ, ୨୦୫୦ଟି ଗୋପାଲ-୬୦ ଖାଲିଡବା, ୨୦୦ଟି ଗୋପାଲ-୫୦୦ ଖାଲିଡବା, ୧୦୦ ଲିଡ୍‌ କଭର, ଜର୍ଦ୍ଦା ତିଆରିରେ ବ୍ୟବହୃତ ୬୦ କେଜି ଜିଙ୍କ୍‌ ପାଉଡର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସିଟି ଡିଏସ୍‌ପି କହିଛନ୍ତି। ପୁରୁଣାବଜାର ଥାନାଧିକାରୀ କରୁଣାକର ରାଉତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।