ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ୨୦୨୪ ଅଗଷ୍ଟ ସୁଦ୍ଧା ୧୪ଟି କ୍ଷେତ୍ରରେ ୧.୪୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଫଳରେ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ ଓ ବିକ୍ରୟ ହୋଇଛି। ଏହାସହ ୯.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ରପ୍ତାନି ପରିମାଣ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୨-୨୩ ଆର୍ଥିକ ବର୍ଷ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୮ଟି କ୍ଷେତ୍ରରେ ଯଥାକ୍ରମେ ୨,୯୬୮ କୋଟି ଟଙ୍କା ଏବଂ ୯ଟି କ୍ଷେତ୍ରରେ ୬,୭୫୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଭାରତର ଉତ୍ପାଦନ କ୍ଷମତା ଏବଂ ରପ୍ତାନି ବୃଦ୍ଧି ପାଇଁ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟରେ ୧୪ଟି ପ୍ରମୁଖ କ୍ଷେତ୍ର ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଛି। ଏହି ୧୪ଟି କ୍ଷେତ୍ର ମଧ୍ୟରେ ୭୬୪ଟି ଆବେଦନକୁ ଅନୁମୋଦନ ମିଳିଛି। ଏହି ୭୬୪ଟି ଅନୁମୋଦନ ମଧ୍ୟରୁ ଖାଦ୍ୟ ଉତ୍ପାଦ କ୍ଷେତ୍ର ସର୍ବାଧିକ ୧୮୨ଟି ଅନୁମୋଦନ ପାଇଥିବା ବେଳେ ଯାନବାହନ ଓ ଯାନବାହନ ସରଞ୍ଜାମ କ୍ଷେତ୍ର ୯୫ଟି ଅନୁମୋଦନ ସହ ତୃତୀୟ ସ୍ଥାନରେ ରହିଛି I ଏମଏମଏଫ ବିଭାଗ ଏବଂ ବୈଷୟିକ ବୟନଶିଳ୍ପକୁ ୭୪ଟି ଆବେଦନ ମଞ୍ଜୁର ହୋଇଥିବା ବେଳେ ସ୍ବତନ୍ତ୍ର ଇସ୍ପାତକୁ ୬୭ଟି ଏବଂଏସି ଓ ଏଲଇଡିକୁ ୬୬ଟି ଅନୁମୋଦନ ମିଳିଛି। ଏହାବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ଷ୍ଟାର୍ଟି ସାମଗ୍ରୀ / ଡ୍ରଗ ଇଣ୍ଟରମିଡିଆରୀ ଓ ସକ୍ରିୟ ଔଷଧୀୟ ଉପାଦାନ ଭଳି କ୍ଷେତ୍ରକୁ ୫୧ଟି, ଔଷଧୀୟ ସାମଗ୍ରୀକୁ ୫୫୫ଟି, ଟେଲିକମ ଓ ନେଟୱର୍କିଂ ଉତ୍ପାଦକୁ ୪୨ଟି ଏବଂ ଇଲେକ୍ଟ୍ରୋନିକ/ ଟେକ୍ନୋଲୋଜି ଉପତ୍ାଦକୁ ୨୭ଟି ଅନୁମୋଦନ ମିଳିଛି। ମେଡିକାଲ ଡିଭାଇସ ଉତ୍ପାଦନ ଏବଂ ମୋବାଇଲ ଉତ୍ପାଦନ ଏବଂ ର୍ନିଦ୍ଦିଷ୍ଟ ଇଲେକ୍ଟ୍ରୋନିକ ଉପାଦାନ ଉଭୟ ୩୨ଟି ଲେଖାଏଁ ଅନୁମୋଦନ ପାଇଥିଲା I ଡ୍ରୋନ ଏବଂ ଡ୍ରୋନ ଉପାଦାନ ଭଳି ଉଦୀୟମାନ କ୍ଷେତ୍ରକୁ ୨୩୦, ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲକୁ ୧୪ ଏବଂ ଆଡଭାନ୍ସଡ କେମିଷ୍ଟ୍ରି ସେଲ (ଏସିସି) ବ୍ୟାଟେରୀକୁ ୪୫ଟି ଅନୁମୋଦନ ମିଳିଛି।