ଚଳିତବର୍ଷ ଦେଢ଼ଲକ୍ଷ ହେକ୍ଟର ବନୀକରଣ

ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବନୀକରଣ ଯୋଜନା ଯଥା ପ୍ରାକୃତିକ ଜଙ୍ଗଲର ପୁନର୍ଜନ୍ମ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାର୍ଶ୍ୱ ବନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ଚାରାରୋପଣ କାର୍ଯ୍ୟ ଚାଲୁ ରହିଛି। ୨୦୨୧-୨୨ ବର୍ଷରେ ରାଜ୍ୟରେ ସର୍ବମୋଟ ବିଭିନ୍ନ ଯୋଜନାରେ ୫୯୯ କୋଟି ଟଙ୍କା ବିନିଯୋଗ କରାଯାଇ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟରରେ ୬ କୋଟି ୬୭ ଲକ୍ଷ ୯୩ ହଜାର ଚାରାରୋପଣ କରାଯିବା ସହ ୩ କୋଟି ୨୧ ଲକ୍ଷ ୬୦ ହଜାର ଚାରା ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ସୋମବାର ଭୁବନେଶ୍ୱରର ବଡ଼ଗଡ଼ ହାଇସ୍କୁଲ ପରିସରରେ ୭୨ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ବୃକ୍ଷ ରୋପଣ କରି ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।
ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଚଳିତ ବର୍ଷ ୧୩ କୋଟି ଚାରା ଉତ୍ପାଦନ ହେବ ଓ ପ୍ରାୟ ସାଢ଼େ ୮ କୋଟି ଚାରାରୋପଣ କରାଯିବାକୁ ଲକ୍ଷ୍ୟ ରହିଛି। ଜଙ୍ଗଲ ବିଭାଗ ବନ ମହୋତ୍ସବକୁ ଏକ ଲୋକ ମହୋତ୍ସବରେ ପରିଣତ କରିଛି। ସାରା ରାଜ୍ୟକୁ ସବୁଜିମାମୟ କରିବା ପାଇଁ ବିଭାଗ ଓ ଜନସାଧାରଣଙ୍କ ମିଳିତ ପ୍ରଚେଷ୍ଟା ପ୍ରଶଂସନୀୟ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଥିଲେ, ଜଙ୍ଗଲ ପରିସୀମା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଚତୁର୍ଥ। ଆମ ରାଜ୍ୟରେ ୨୭୫ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି। ବ୍ୟାପକ ବନୀକରଣ ହେଲେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ପ୍ରତିହତ କରାଯାଇପାରିବ। ତେଣୁ ଅଧିକରୁ ଅଧିକ ଚାରା ଲଗାଯିବା ଉପରେ ଶର୍ମା ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ ସ୍ବାଗତ ଭାଷଣ ଓ ବଡଗଡ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ଥିଲେ। ପରେ ବଡଗଡ ହାଇସ୍କୁଲ ପରିସରରେ ଅତିଥିମାନଙ୍କ ଦ୍ୱାରା ଚାରାରୋପଣ କରାଯାଇଥିଲା।

Share