ବ୍ରହ୍ମପୁର ଅଫିସ,୨୧।୩: ବ୍ରହ୍ମପୁର ବଡବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସିନ୍ଦୁରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ ଓ ମୋହନା ଥାନା ଅନ୍ତର୍ଗତ କେସରିଆଗୁଡାର କୈଳାସ ବୀର। ମାମଲା ନଂ. ୫୫/୨୨ରେ ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ମନୋଜ ପଣ୍ଡା ସ୍କୁଟି ଛାଡ଼ି ଫେରାର ହୋଇଯାଇଛନ୍ତି। ମନୋଜ ଉଭୟ ଗୁଜରାଟ ଓ ଅହମଦାବାଦ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲେ। ଅନ୍ୟପଟେ ମନୋଜଙ୍କ ସ୍କୁଟି ଡିକିରେ ଥିବା ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବଡବଜାର ଥାନା ପୋଲିସ ଶ୍ରୀରାମନଗର ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ପୋଲିସକୁ ଦେଖି ଦୁଇ ଯୁବକ ଗାଡି ବୁଲାଇ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ କାବୁ କରି ଗଞ୍ଜେଇ ଜବତ କରିଥିଲା। ସେମାନଙ୍କ ବୟାନକୁ ଆଧାର କରି ମାଷ୍ଟରମାଇଣ୍ଡ ମନୋଜଙ୍କ ମୋବାଇଲ ଟ୍ରାକିଂ କରିଥିଲା। ସେ ଏମକେସିଜି ମେଡିକାଲ ଖେଳପଡ଼ିିଆ ରାସ୍ତରେ ଥିବା ଜଣାପଡ଼ିଥିଲା। ପୋଲିସକୁ ନିକଟରୁ ଦେଖି ମନୋଜ ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ପୋଲିସ କହିଛି।