Categories: ବାଣିଜ୍ୟ

ଅଗଷ୍ଟରେ ୧.୫୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୯: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ପଞ୍ଚମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୫୯(୧,୬୫,୦୬୯) ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣ ପ୍ରାୟ ୧.୪୩ ଲକ୍ଷ କୋଟିଠାରୁ ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧୧% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କ୍ରମାଗତ ୧୮ ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୯ମ ଥର ପାଇଁ ୧.୫ ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ବ ୧,୫୯,୦୬୯ ଲକ୍ଷ କୋଟି ରହିଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ୨୮,୩୨୮ କୋଟି ଟଙ୍କା ରହିଥିଲାବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୫,୭୯୪ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସ୍‌ଟି ବାବଦରେ ୮୩,୨୫୧ କୋଟି (ସାମଗ୍ରୀ ଆମଦାନୀରେ ୪୩,୫୫୦ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍‌ ବାବଦରେ ୧୧,୬୯୫ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୧୦୧୬ କୋଟି ଟଙ୍କା ସାମିଲ) ର ଟିକସ ଆଦାୟ କରାଯାଇଛି। ସେହିପରି ସରକାର ସିଜିଏସ୍‌ଟି ବାବଦରେ ୩୭,୫୮୧ କୋଟି ଟଙ୍କା ଏବଂ ଆଇଜିଏସ୍‌ଟିରୁ ଏସ୍‌ଜିଏସ୍‌ଟି ବାବଦରେ ୩୧,୪୦୮ କୋଟି ଟଙ୍କା ପରିଶୋଧ କରିଛନ୍ତି।
ଅପରପକ୍ଷରେ ଓଡ଼ିଶାରୁ ଚଳିତ ଆର୍ଥିକ ବର୍ଷର ୫ର୍ଥ ମାସରେ ପ୍ରାୟ ୪୪୦୮.୨୭ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୩୮୮୩.୯୦ କୋଟି ଟଙ୍କାରୁ ଅଧିକ ରହିଥିଲା। ଏହା ଚଳିତ ଆର୍ଥକ ବର୍ଷର ଜୁଲାଇ ଅବଧିରେ ୧୩.୫୦% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share