ନୂଆଦିଲ୍ଲୀ,୨।୧: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୯ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଡିସେମ୍ବରରେ ଦେଶର ଜିଏସ୍ଟି ସଂଗ୍ରହ ପ୍ରାୟ ୧.୬୫ (୧,୬୪,୮୮୨) ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ୧୦.୩% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବରରେ ସଂଗୃହୀତ ଟିକସ ପରିମାଣ ୧,୪୯, ୫୦୭ ଲକ୍ଷ କୋଟିଠାରୁ ୧୦.୩% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କ୍ରମାଗତ ୨୨ ମାସ ପାଇଁ ଦେଶର ଜିଏସ୍ଟି ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ତ୍ରୟୋଦଶ ଥର ପାଇଁ ୧.୫ ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ୭ମ ଥର ଲାଗି ଜିଏସ୍ଟି ସଂଗ୍ରହ ୧.୬ ଲକ୍ଷ କୋଟିରୁ ଅଧିକ ରହିଥିବା ମନ୍ତ୍ରଣାଳୟ ଓ୍ବେବ୍ସାଇଟରୁ ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବରରେ ସଂଗୃହୀତ ମୋଟ ଜିଏସ୍ଟି ରାଜସ୍ବ ୧,୬୪,୮୮୨ ଲକ୍ଷ କୋଟି ରହିଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍ଟି) ୩୦,୪୪୩ କୋଟି ଟଙ୍କା ରହିଥିଲାବେଳେ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ୩୭,୯୩୫ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସ୍ଟି ବାବଦରେ ୮୪,୨୫୫ କୋଟି (ସାମଗ୍ରୀ ଆମଦାନୀରେ ୪୧,୫୩୪ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ବାବଦରେ ୧୨,୨୪୯ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୧୦୭୯ କୋଟି ଟଙ୍କା ସାମିଲ)ର ଟିକସ ଆଦାୟ କରାଯାଇଛି। ସେହିପରି ସରକାର ସିଜିଏସ୍ଟି ବାବଦରେ ୪୦,୦୫୭ କୋଟି ଟଙ୍କା ଏବଂ ଆଇଜିଏସ୍ଟିରୁ ଏସ୍ଜିଏସ୍ଟି ବାବଦରେ ୩୩,୬୫୨ କୋଟି ଟଙ୍କା ପରିଶୋଧ କରିଛନ୍ତି। ଅପରପକ୍ଷରେ ଓଡ଼ିଶାରୁ ଚଳିତ ଆର୍ଥିକ ବର୍ଷର ୯ମ ମାସରେ ପ୍ରାୟ ୪୩୫୧ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୩୮୫୪ କୋଟି ଟଙ୍କାରୁ ଅଧିକ ରହିଥିଲା, ଯାହା ଚଳିତ ଆର୍ଥକ ବର୍ଷର ନଭେମ୍ବର ଅବଧିରେ ୧୩% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେହିଭଳି ବାର୍ଷିକ ଭିତ୍ତି (ଏପ୍ରିଲରୁ ଡିସେମ୍ବର)ରେ ୧୪.୯୭ ଲକ୍ଷ କୋଟି ସଂଗ୍ରହ କରାଯାଇଥିବାବେଳେ ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ ୧୩.୪୦ ଲକ୍ଷ କୋଟି ଟଙ୍କାର ଟିକସ ଜିଏସ୍ଟି ଆକାରରେ ଆଦାୟ କରାଯାଇଥିଲା। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ କ୍ରମାଗତ ୯ମ ମାସ ପାଇଁ ମାସିକ ପ୍ରାୟ ୧.୬୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଉଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ଏହାର ପରିମାଣ ମାସିକ ପ୍ରାୟ୧.୪୯ ଲକ୍ଷ କୋଟି ରହିଥିଲା।