Categories: ବାଣିଜ୍ୟ

୨୦୩୦ ସୁଦ୍ଧା ୧ ବିଲିଅନ ଡଲାର ହଳଦୀ ରପ୍ତାନି ଲକ୍ଷ୍ୟ

ଭୁବନେଶ୍ୱର,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଭାରତୀୟ ହଳଦୀର ବଜାର ସୃଷ୍ଟି କରିବା ସହ ରପ୍ତାନି କ୍ଷମତା ବଢ଼ାଇବା ଲକ୍ଷ୍ୟରେ ଗୁରୁବାର ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଦେଶରେ ହଳଦୀ ଚାଷ ବଢ଼ାଇବା ଓ ତା’ର ଉନ୍ନତୀକରଣ ଦିଗରେ ଏହି ବୋର୍ଡ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଏଥିସହ ସେଣ୍ଟ୍ରାଲ ଟର୍ମେରିକ୍‌ ବୋର୍ଡ, ସ୍ପାଇସ୍‌ ବୋର୍ଡ ଓ ଅନ୍ୟ ସରକାରୀ ଏଜେନ୍ସିଙ୍କ ସହଯୋଗରେ ହଳଦୀ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରାଯିବ।

ସେହିଭଳି ବିଦେଶରେ ହଳଦୀର ଚାହିଦା ବୃଦ୍ଧି କରିବା ଓ ସଚେତନତା ବଢ଼ାଇବା, ରପ୍ତାନି ବୃଦ୍ଧି କରିବାକୁ ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବା, ନୂଆ ନୂଆ କିସମ ହଳଦୀ ଉତ୍ପାଦନରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଆଦି ବୋର୍ଡର ପ୍ରଥମ ଲକ୍ଷ୍ୟ ହେବ ବୋଲି କୁହାଯାଇଛି। ଏଥିସହ ହଳଦୀର ମୂଲ୍ୟବୋଧ ବଢ଼ାଇବା ପାଇଁ ଏହାର ପାରମ୍ପରିକ ଜ୍ଞାନ ବର୍ଦ୍ଧନ କରିବା ମଧ୍ୟ ବୋର୍ଡର ପ୍ରାଥମିକ ଦାୟିତ୍ୱ ରହିବ। ଏପରିକି ହଳଦୀ ଚାଷୀଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି କରିବା ସହ ଖାଦ୍ୟ ସୁରକ୍ଷା ମାନକ ନିୟମର ପାଳନ କରିବା ବିଷୟରେ ମଧ୍ୟ ବୋର୍ଡ ଅବଗତ କରାଇବା। ଅପରପକ୍ଷରେ ୨୦୩୦ ସୁଦ୍ଧା ଭାରତକୁ ଆଗ ଧାଡ଼ିର ହଳଦୀ ରପ୍ତାନିକାରୀ ଦେଶ ଭାବେ ଗଢ଼ି ତୋଳିବା ସହ ୧ ବିଲିଅନ ଡଲାର ହଳଦୀ ରପ୍ତାନି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଳଦୀ ବୋର୍ଡ ବିଷୟରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ବିଶେଷକରି ନ୍ୟାଶନାଲ ଟର୍ମେରିକ ବୋର୍ଡ ଗଠନକରି ହଳଦୀ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ ବୋଲି ପରୋକ୍ଷରେ କହିଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ହଳଦୀ ଉତ୍ପାଦନ କରାଯିବା ସହ ଅଧିକ ଖାଉଟି ମଧ୍ୟ ରହିଛନ୍ତି। ବିଶ୍ୱ ହଳଦୀ ବଜାରରେ ଭାରତର ପ୍ରଭାବ ରହିଛି। ଗତ ବର୍ଷ (୨୦୨୨-୨୩) ଭାରତରେ ୩,୨୪,୦୦୦ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲାବେଳେ ଏଥିରେ ୧.୧ମିଲିଅନ ଟନ୍‌ ଉତ୍ପାଦନ ହୋଇଥିଲା, ଯାହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫% ହେବ ବୋଲି ଆକଳନ କରାଯାଇଛି। ଦେଶର ୨୦ଟି ରାଜ୍ୟରେ ୩୦ଟି କିସମର ହଳଦୀ ଚାଷ କରାଯାଉଛି।

ସେଥିମଧ୍ୟରୁ ମହାରାଷ୍ଟ୍ର, ତେଲଙ୍ଗାନା, କର୍ନାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ସର୍ବାଧିକ ହଳଦୀ ଚାଷ କରାଯାଉଛି। ବର୍ତ୍ତମାନ ବିଶ୍ୱ ହଳଦୀ ବାଣିଜ୍ୟରେ ଭାରତର ଅଂଶ ୬୨% ରହିଛି। ଗତ ଆର୍ଥିକ ବର୍ଷରେ ଭାରତ ୩୮୦ ରପ୍ତାନିକାରୀଙ୍କ ଦ୍ୱାରା ୨୦୭.୪୫ ମିଲିୟନ ଡଲାର ମୂଲ୍ୟର ୧୫୩,୪୦୦ ଟନ୍‌ ହଳଦୀ ଓ ହଳଦୀ ଜାତୀୟ ସାମଗ୍ରୀ ରପ୍ତାନି କରିଥିଲା।

Share