ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬ା୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶାରଦୀୟ ନବରାତ୍ର୍‌ର ଶୁଭ ଅବସରରେ ଭୁବନେଶ୍ୱରଠାରେ କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ବଢ଼ାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ। ନିଜ ମୋବାଇଲରେ ଆପ୍‌ ଡାଉନଲୋଡ କରି କିମ୍ବା ୱେବ୍‌ସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ। ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ୍‌ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍‌ ପ୍ରଶିକ୍ଷଣ ଦିଆଯିବ। ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ। ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକାକୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଦେଶର ଅର୍ଥନୀତିରେ ବୃହତ ଶିଳ୍ପ ଓ କାରଖାନାଗୁଡ଼ିକ ମଜଭୁତ ସ୍ତମ୍ଭ। ତେବେ ଛୋଟ ଛୋଟ ବ୍ୟବସାୟୀମାନେ କୌଣସି ଗୁଣରେ ଟାଟା, ବିର୍ଲା, ଆଦାନୀଠୁ କମ୍‌ ନୁହନ୍ତି। ବଡ଼ ବ୍ୟବସାୟୀଙ୍କ ଭଳି ଛୋଟ ଦୋକାନୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍‌-ସ୍କିଲିଂ କରାଇବା ସହ ଭାଷାଶୈଳୀର ପ୍ରଶିକ୍ଷଣ ଦିଆଗଲେ ଦେଶର ଅର୍ଥନୀତି ମଜଭୁତ ହେବ। ବର୍ତ୍ତମାନ ପରିବର୍ତ୍ତିତ ଦୁନିଆରେ ୟୁପିଆଇ ପେମେଣ୍ଟ ନୂଆ ରୂପ ନେଇଛି। ଏହା ହିଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ, ନୂଆ ଭାରତ ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କୋକାକୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର କଳା ଦକ୍ଷତାର ଉପଯୋଗ କରି ସ୍ବାବଲମ୍ବୀ ହୋଇଥିବା ମହିଳାଙ୍କୁ ସମ୍ମାନିତ କରିଛନ୍ତି।

Share