Categories: ଜାତୀୟ

୧ କୋଟି ପ୍ରଭାବିତ, ୩ ଲକ୍ଷ ଘର ଭାଙ୍ଗିଲା

କୋଲକାତା,୨୭ା୫: ବଙ୍ଗୋପସାଗରରୁ ମାଡ଼ିଆସିଥିବା ସାମୁଦ୍ରିକ ଝଡ଼ ୟାସ୍‌ ଉତ୍ତର ଓଡ଼ିଶାର ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଛି। କିନ୍ତୁ ଏହାର ଦୌରାମତ୍‌ୟ ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଅନୂ୍ୟନ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ସମୁଦ୍ର ପାଣିରେ ୩ ଲକ୍ଷ ଘର ଭାଙ୍ଗିଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରେ ଶକ୍ତିଶାଳୀ ସମୁଦ୍ରର ଉଚ୍ଚ ଢେଉ ସାଙ୍ଗକୁ ବର୍ଷା ଓ ପବନ ତାଣ୍ଡବ ରଚିଛି। ୟାସ୍‌ ଆସିବା ପୂର୍ବରୁ ୧୫,୦୪,୫୦୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ସମୟରେ ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସର୍ବାଧିକ ପ୍ରଭାବିତ ଜିଲା ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା ଜିଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ପ୍ରକୃତ କ୍ଷୟକ୍ଷତି ଆକଳନ ପାଇଁ ୭୨ ଘଣ୍ଟା ଲାଗିବ । ସେହିପରି ଉପକୂଳ ଜିଲା ପୂର୍ବ ମେଦିନୀପୁରର ଦିଘାରେ ୟାସ୍‌ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସମୁଦ୍ର ଓ ବର୍ଷାପାଣିରେ ଘରଦ୍ୱାର ଭାଙ୍ଗିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଧରାଶାୟୀ ହୋଇଯାଇଛି। ପର୍ଯ୍ୟଟନ ସହର ଦିଘାରେ ସମୁଦ୍ରରେ ୨ ମିଟର ଉଚ୍ଚତାର ଜୁଆର ଉଠିଥିଲା। ଏହାର ପ୍ରଭାବରେ ବିଦ୍ୟାଧାରୀ, ହୁଗ୍‌ଲି, ରୂପନାରାୟଣ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଶଙ୍କରପୁର ଉପକୂଳସ୍ଥିତ ଏକ ସ୍କୁଲ ଧୋଇହୋଇ ଯାଇଛି। ଫ୍ରାଜେରଗଞ୍ଜରେ ରାସ୍ତାରେ ପାଣି ଢେଉ ମାରୁଥିବାବେଳେ ଲୋକେ ନିଜ ତଥା ଗୋରୁଙ୍କ ଜୀବନ ବଞ୍ଚାଇବା ପାଇଁ ଧାଉଁଥିବା ଦେଖିବାକୁ ମିଳିଛି। ଖୁବ୍‌ ଜୋର୍‌ରେ ପବନ ବହିବାରୁ ବହୁ ଘରଦ୍ୱାର ଓ ସ୍କୁଲ ଛାତ ଉଡ଼ିଯାଇଛି। ସେନା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ପୋଲିସ ଏବଂ ସ୍ବେଚ୍ଛାସେବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Share