ଖାଉଟି ଫୋରମ୍‌ର ହସ୍ତକ୍ଷେପ, ମିଳିଲା ୧କୋଟି ବୀମା ଟଙ୍କା

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ବୀମା କମ୍ପାନୀ ମୃତ୍ୟୁକାଳୀନ କ୍ଷତିପୂରଣ ଟଙ୍କା ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ଅଭିଯୋଗର ବିଚାର କରି ବରଗଡ଼ ଖାଉଟି ସୁରକ୍ଷା ଫୋରମ ମୃତକଙ୍କ ସ୍ତ୍ରୀଙ୍କୁ ୧କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫୋରମର ନିର୍ଦ୍ଦେଶ ପରେ ବୀମା କମ୍ପାନୀ କ୍ଷତିପୂରଣ ବାବଦକୁ ମୃତକଙ୍କ ସ୍ତ୍ରୀଙ୍କୁ ୧କୋଟି ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରିଥିବା ସୂଚନା ମିଳିଛି । ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ବୈତାଲଭଟା ଗ୍ରାମର ଆଦିତ୍ୟ କୁମାର ବେହେରା ଇଣ୍ଡିଆନ ବ୍ୟାଙ୍କରେ କାମ କରୁଥିଲେ। ଆସାମର ଗୌହାଟିରେ ତାଙ୍କର ପୋଷ୍ଟିଂ ହୋଇଥିବାବେଳେ ସେଠାରେ ସେ କରୋନାରେ ଆକ୍ରାନ୍ତ ହେବା ସହିତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ମୃତ୍ୟୁ ପୂର୍ବରୁ ଏକ ବୀମା କମ୍ପାନୀରେ ୧କୋଟି ଟଙ୍କାର ଏକ ଟର୍ମ ପଲିସି କରିଥିଲେ ଏବଂ ବାର୍ଷିକ ୨୪ହଜାର ୧୦୧ଟଙ୍କା ୫୦ପଇସା ପ୍ରିମିୟମ ଜମା କରୁଥିଲେ। ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବୀମା ଟଙ୍କା ପାଇଁ ସମ୍ପୃକ୍ତ କମ୍ପାନୀରେ ସମସ୍ତ ଆବଶ୍ୟକ କାଗଜାତ୍‌ ଦାଖଲ କରିଥିଲେ। ଏହାସତ୍ତ୍ବେ ବୀମା କମ୍ପାନୀ ତାଙ୍କୁ ବୀମା ଟଙ୍କା ଦେଉ ନ ଥିଲା। ଫଳରେ ସେ ବରଗଡ଼ ଖାଉଟି ସୁରକ୍ଷା ଫୋରମର ଦ୍ୱାରସ୍ଥ ହୋଇଥିଲେ। ଆଡ଼ଭୋକେଟ୍‌ ଦ୍ୟୁତିଶ ଆଚାର୍ଯ୍ୟ, ପ୍ରଦୀପ କୁମାର ମହାପାତ୍ର, ବିବେକାନନ୍ଦ ସାହୁ, ମନୋଜ କୁମାର ସାହୁ, ଦେବବ୍ରତ ଆଚାର୍ଯ୍ୟ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

Share